ପଶ୍ଚିମବଙ୍ଗ ନିର୍ବାଚନ: ଟିଏମ୍‌ସି ପାଇଁ ରୋଡ୍‌ ଶୋ’ କରୁଥିଲେ ଜୟା ବଚ୍ଚନ, ସେଲ୍ଫି ନେବାକୁ ଆସିଥିବା ଯୁବକଙ୍କୁ ଦେଲେ ଶକ୍ତ ଧକ୍କା, ଭିଡିଓ ଭାଇରାଲ

ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ। ଏହାରି ଭିତରେ ଟିଏମ୍‌ସିକୁ ସମର୍ଥନ ଦେବାକୁ ପହଞ୍ଚିଥିଲେ ସପା ସାଂସଦ ଜୟା ବଚ୍ଚନ। ବୁଧବାର ଜୟା ହାଓ୍ଵଡା ଏବଂ ଶିବପୁରରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏହି ରୋଡ୍‌ ଶୋ’ ସମୟରେ ସେ ଏମିତି କିଛି କାମ କରିଥିଲେ, ଯାହାକି ତାଙ୍କ ପାଇଁ ଏବଂ ଟିଏମ୍‌ସି ପାଇଁ ଆଗକୁ ବହୁତ କ୍ଷତିକାରକ ହୋଇପାରେ।

ଭିଡିଓରେ ଜଣାପଡ଼ିଛି, ଜୟା ବଚ୍ଚନ ଏକ ସୁସଜ୍ଜିତ ଗାଡ଼ିରେ ଛିଡ଼ା ହୋଇ ରୋଡ୍‌ ଶୋ’ କରୁଥିଲେ ଏବଂ ହାତ ହଲାଇ ଲୋକଙ୍କ ଅଭିବାଦନ ସ୍ୱୀକାର କରୁଥିଲେ। ଏତିକି ବେଳେ ହଠାତ୍‌ ଜଣେ ସମର୍ଥକ ଗାଡ଼ି ଉପରକୁ ଉଠି ଆସି ତାଙ୍କ ସହିତ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଜୟା କ୍ରୋଧିତ ହୋଇପଡ଼ିଥିଲେ ଏବଂ ସମର୍ଥକଙ୍କୁ ଶକ୍ତ ଧକ୍କା ଦେଇ ଗାଡ଼ିରୁ ଓହ୍ଲାଇ ଦେଇଥିଲେ।

ଏବେ ଜୟାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କିଛି ଲୋକଙ୍କ କହିବା ହେଲା, କରୋନା ଯୋଗୁ ବୋଧ ହୁଏ ସେ ସମର୍ଥକମାନଙ୍କୁ ନିଜଠୁ ଦୂରେଇ ରଖିବାକୁ ଚାହୁଁଛନ୍ତି। କିନ୍ତୁ କିଛିଜଣ ଜୟାଙ୍କର ଏଭଳି ବ୍ୟବହାରକୁ ନୈରାଶ୍ୟଜନକ ବୋଲି କହିଛନ୍ତି। କହି ରଖୁଛୁ, ନିକଟରେ ଜୟା ଟିଏମ୍‌ସିକୁ ସମର୍ଥନ ଦେବା ଏବଂ ଦଳର ପ୍ରଚାର ପ୍ରସାର କରେଇବା ପାଇଁ ପଶ୍ଚିମବଙ୍ଗ ଆସିଥିଲେ।