ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ,ପୁଣି ଫେରିପାରେ ମହାଗଠବନ୍ଧନ ସରକାର

କେନ୍ୟୁଜ୍(ବ୍ୟୁରୋ): ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ । ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଛି । ରାଜ୍ୟରେ ପୁଣି ଫେରିପାରେ ମହାଗଠବନ୍ଧନ ସରକାର। ଆରଜେଡି ସହ ମିଶି ଜେଡିୟୁ ସରକାର ଗଠନ କରିବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ଅପରାହ୍‌ଣ ୪ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନଙ୍କୁ ସେ ଭେଟିବେ । ୧୬୦ ବିଧାୟକଙ୍କ ସମର୍ଥନ ନେଇ ନୀତୀଶ କୁମାର ରାଜଭବନ ଯିବେ ବୋଲି ସୂଚନା ମିଳିଛି । ଜେଡିୟୁ ବୈଠକରେ ନୀତୀଶ କୁମାର କହିଛନ୍ତି, ବିଜେପି ଆମକୁ ସବୁବେଳେ ଅପମାନିତ କରୁଥିଲା । ଜେଡିୟୁକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି ନୀତୀଶ କୁମାର ।
ବୈଠକରେ ଜେଡିୟୁର ସବୁ ସାଂସଦ ଓ ବିଧାୟକ ନୀତୀଶଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି । ସେମାନେ ନୀତୀଶଙ୍କ ସହ ଥିବା କହିଛନ୍ତି । ଏପଟେ ନୂଆ ସରକାରରେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମହାଗଠବନ୍ଧନର ମଧ୍ୟ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଆରଜେଡି, କଂଗ୍ରେସ ଓ ବାମଦଳ ଭାଗ ନେଇଥିଲେ । ଆରଜେଡିର ସବୁ ବିଧାୟକ ଓ ସାଂସଦ ନିଷ୍ପତ୍ତି ତେଜସ୍ୱୀ ଯାଦବଙ୍କ ଉପରେ ଛାଡ଼ିଛନ୍ତି । ବାମଦଳ ଓ କଂଗ୍ରେସ ମଧ୍ୟ ତେଜସ୍ୱୀଙ୍କ ସହ ରହିଥିବା କହିସାରିଛନ୍ତି ବୋଲି ସୂଚନା ମିଳିଛି । ସେପଟେ ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ବାସଭବନରେ ବିଜେପି ବୈଠକ ବସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.