ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ, ହିଂସାକାଣ୍ଡ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି । ୨୦ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ୬୨.୪୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ଅନେକ ବଡ଼ବଡ଼ିଆଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି ।
ବୁଥରେ ହିଂସା, ଜଣେ ମୃତ ଓ ଦୁଇ ଜଣ ଆହତ
ତେବେ ଗୁମ୍ଲାର ସିସାଇ ଆସନର ୩୬ ନମ୍ବର ବୁଥ୍ରେ ମତଦାନ ବେଳେ ହିଂସାକାଣ୍ଡ ଘଟିଛି । ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଦିନ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ବୁଥ୍ରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ସେମାନେ ଗୁଳି ମାରି ଦେଇଥିଲେ । ଏହା ପରେ ସେଠାରେ ଭୋଟ୍ ଗ୍ରହଣ ବନ୍ଦ କରି ଦିଆଯାଇଥିଲା ।
ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆସନ୍ତା ୧୨ ତାରିଖ ଦିନ କରାଯିବ । ମୋଟ୍ ୫ଟି ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୨୩ ତାରିଖରେ ଘୋଷଣା କରାଯିବ ।