ଝାଡ଼ଖଣ୍ଡରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ୨ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଆଉ କିଛି ସମୟ ମଧ୍ୟରେ ଖୋଲିବ ଇଭିଏମ୍ । ଆଉ ତା ସହ ଧୀରେ ଧୀରେ ସ୍ପଷ୍ଟ ହୋଇଯିବ ଚିତ୍ର । ଜଣାପଡ଼ିବ, କିଏ ଜନତାଙ୍କ ହୃଦୟ ଜିତିଲା, ଆଉ କିଏ ହେଲା ନିରାଶ । କେଉଁଠି ସ୍ପଷ୍ଟ ବହୁମତ ମିଳିଲା, ପୁଣି କେଉଁଠି ଝୁଲା ରହିଲା ଜନାଦେଶ । ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।
ଝାଡ଼ଖଣ୍ଡରେ ଏକଜିଟ ପୋଲରେ ଅନେକ ସଂସ୍ଥା ଏନଡିଏକୁ ଆଗରେ ରଖିଛନ୍ତି । ଝାଡ଼ଖଣ୍ଡ ବିଧାନସଭାର ମୋଟ ୮୧ ଆସନରୁ ମ୍ୟାଜିକ ନମ୍ବର ୪୨। ଇଣ୍ଡିଆ ମେଣ୍ଟରେ ଜେଏମଏମ ୪୩ ଓ କଂଗ୍ରେସ ୩୦ ଆସନରେ ଲଢୁଥିବା ବେଳେ ଏନଡିଏରୁ ବିଜେପି ୬୮ ଓ ଆଜସୁ ୧୦ଟି ଆସନରେ ଲଢୁଛନ୍ତି।
ସେପଟେ ବିହାର ସହିତ ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରାଖଣ୍ଡର କିଛି ବିଧାନସଭା ସିଟରେ ହେଇଥିବା ଉପ-ନିର୍ବାଚନ ଫଳାଫଳ ମଧ୍ୟ ଆସିବ । ତା ସହିତ ଓ୍ୱାୟନାଡ ଆସନରେ ହେଇଥିବା ଉପ-ନିର୍ବାଚନର ରେଜଲ୍ଟ ମଧ୍ୟ ଆଜି ଆସିବାକୁ ଯାଉଛି । ଯେଉଁଠି ଭୋଟର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ।