ଧାନବାଦ ସ୍କୁଲରେ ଲଜ୍ଜାଜନକ ଘଟଣା, ବିନା ସାର୍ଟରେ କେବଳ ବ୍ଲେଜରରେ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ୍

ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ଲଜ୍ଜାଜନକ ଘଟଣା ଘଟିଛି । ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇ ଅଡୁଆରେ ଫସିଛନ୍ତି ସ୍କୁଲର ପ୍ରିନ୍ସିପାଲ୍ । ଏଥିପାଇଁ ଅନେକ ଅଭିଭାବକ ପୋଲିସରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ପ୍ରିନ୍ସିପାଲଙ୍କ ଏଭଳି ଅଶୋଭନୀୟ ଏବଂ ଲଜ୍ଜାଜନକ ଦଣ୍ଡ ଭୋଗିବାକୁ ପଡ଼ିଛି । ଦଶମ ପରୀକ୍ଷା ସରିବା ପରେ ସାଙ୍ଗସାଥିଙ୍କୁ ବିଦାୟ ଜଣାଇବା ପାଇଁ ପରସ୍ପର ଡ୍ରେସରେ ବାର୍ତ୍ତା ଲେଖିଥିଲେ । ପ୍ରାୟ ଶହେ ଛାତ୍ରୀ ଏହି ସେଲିବ୍ରେସନରେ ଭାଗ ନେଇଥିଲେ । ହେଲେ ଏଭଳି ସେଲିବ୍ରେସନ ସ୍କୁଲର ପ୍ରିନ୍ସିପାଲଙ୍କୁ ପସନ୍ଦ ଆସିନଥିଲା । ସ୍କୁଲର ପ୍ରିନ୍ସିପାଲ ଏହାକୁ ଦେଖି ଉତକ୍ଷିପ୍ତ ହେବା ସହ ସେମାନଙ୍କୁ ସାର୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରୀମାନେ ଭୁଲ୍ ମାଗିବା ପରେ ବି ଶାନ୍ତ ପଡ଼ିନଥିଲେ ପ୍ରିନ୍ସିପାଲ୍ । ସେ ଏଥିରେ ରାଗିଯାଇ ଛାତ୍ରୀମାନଙ୍କୁ ଗାଳି ଦେଇଥିଲେ । ଏତିକି ନୁହେଁ, ସମସ୍ତଙ୍କୁ ନିଜ ନିଜ ଶାର୍ଟ ଖୋଲିବାକୁ ମଧ୍ୟ ବାଧ୍ୟ କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ କେବଳ ବ୍ଲେଜର୍ସ ପିନ୍ଧି ଘରକୁ ଯିବାକୁ ମିଳିଥିଲା ଅନୁମତି ।

ଏହାପରେ ୮୦ ଜଣ ଛାତ୍ରୀ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଯିବାକୁ କହିଥିଲେ । ଏଭଳି ଅବସ୍ଥାରେ ଘରକୁ ଛାତ୍ରୀମାନେ ଯାଇ ବାପା ମାଆଙ୍କ ନିକଟରେ କାନ୍ଦିଥିଲେ । ଏହି ଘଟଣା ପରେ ଅଭିଭାବକମାନେ ଡେପୁଟି କମିଶନରଙ୍କ ନିକଟକୁ ଯାଇ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ଥାନୀୟ ବିଧାୟିକା ରାଗିଣୀ ସିଂହ ମଧ୍ୟ ଅଭିଭାବକମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ସେ ଏହି ଘଟଣାକୁ ଦୁର୍ଭାଗ୍ୟ ଓ ଲଜ୍ଜ୍ୟାଜନକ ବୋଲି କହିଛନ୍ତି ।

ଅଭିଭାବକମାନେ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ ଅଭିଯୋଗ କରିବାପରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି ବୋଲି ଧାନବାଦ ଡିସି ମାଧବୀ ମିଶ୍ର କହିଛନ୍ତି ।