ମହାକୁମ୍ଭରୁ ଫେରୁଥିବା ବେଳେ ସାଂସଦ ମହୁଆ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ହସପିଟାଲରେ ଭର୍ତ୍ତି

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସାଂସଦ ମହୁଆ ମାଝୀଙ୍କ ଗାଡି ଦୁର୍ଘଟଣା । ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ରାଞ୍ଚିର ରିମ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ଆଜି ଭୋର ୪ଟାରେ ମହୁଆ ପ୍ରୟାଗରାଜରୁ ଫେରିବା ବେଳେ ଏନଏଚ-୩୯ ଝାଡଖଣ୍ଡ ଲାଟେହାରର ହୋଚବାଗ୍ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ମହାକୁମ୍ଭରେ ବୁଡ଼ ପକାଇବା ପରେ ପ୍ରୟାଗରୁ ଫେରୁଥିଲେ । ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ । ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ଗାଡିର ଆଗ ଭାଗ ଭାଙ୍ଗିଯାଇଛି ।
ଦୀର୍ଘ ଦିନ ହେବ ସେ ଜେଏମଏମ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ରହିଛନ୍ତି । ଗତ ବିଧାନସଭା ନିର୍ବାଚନରେ ରାଞ୍ଚିରୁ ଜେଏମଏମରୁ ଟିକେଟ୍ ପାଇଥିଲେ । ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଚନ୍ଦ୍ରେଶ୍ବର ସିଂହଙ୍କଠୁ ପରାସ୍ତ ହୋଇଥିଲେ । ୨୨୦୦୦ ଭୋଟରେ ମହୁଆ ମାଝୀଙ୍କୁ ପରାସ୍ତ କରିଥିଲେ ବିଜେପି ପ୍ରାର୍ଥୀ ।
ସୂଚନାଯୋଗ୍ୟ, ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ଆଜି ଶେଷ ହେଉଛି । ଏହା ମଧ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇସାରିଲେଣି । ଆଜି ମହାଶିବରାତ୍ରି ଶେଷ ସାହୀ ସ୍ନାନ ଥିବାରୁ ପାଖାପାଖି ୧ରୁ ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି । ବିଶ୍ବାସ ରହିଛି ମହାଶିବରାତ୍ରିରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି । ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ମହାଶିବରାତ୍ରିରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ ପୂର୍ଣ୍ଣ ମହାକୁମ୍ଭ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଏକାଠି ହୋଇଛନ୍ତି । ଜାନୁଆରି ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିବା ମହାକୁମ୍ଭ ଦେଢ଼ମାସ ଧରି ଚାଲି ଆସୁଛି ।
Also Read : ଆଜି ସରିବ ପ୍ରୟାଗରାଜର ମହାକୁମ୍ଭ ମେଳା, ଶେଷ ଅମୃତ ସ୍ନାନ କରିବେ ଶ୍ରଦ୍ଧାଳୁ