ଜେଏନ୍ୟୁ କ୍ୟାମ୍ପସ୍ରେ ଗୁଳିମାଡ଼, ବର୍ତ୍ତିଲେ ଛାତ୍ର ନେତା

ନୂଆଦିଲ୍ଲୀ (କେନ୍ୟୁଜ୍) : ଜେଏନ୍ୟୁ କ୍ୟାମ୍ପସରେ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଲେ ଜେଏନୟୁ ଛାତ୍ର ନେତା ଉମର ଖାଲିଦ । କନଷ୍ଟିଚ୍ୟୁସନ୍ କ୍ଳବ୍ ନିକଟରେ ତାଙ୍କ ଉପରକୁ ଜଣେ ଅଜ୍ଞାତ ବନ୍ଧୁକଧାରୀ ଗୁଳି ଚାଳନା କରିଥିଲା । ଖାଲିଦ ଏକ ଟି-ଷ୍ଟଲରେ ଠଆ ହୋଇଥିବାବେଳେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ହଠାତ ଆସି ଧକ୍କା ଦେବା ସହ ପିସ୍ତଲରୁ ଗୁଳି ଫୁଟାଇଥିଲା । ଖାଲିଦ ତଳେ ପଡ଼ି ଯିବାରୁ ଗୁଳିଟି ତାଙ୍କ ଦେହରେ ବାଜି ନଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତିକୁ କାବୁ କରିବାକୁ ଉଦ୍ୟମ କରିଥିଲେ ବି ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉମର ଖାଲିଦ ସେଠାକୁ ଯାଇଥିଲେ । ଫେବ୍ରୁଆରୀ ୨୦୧୬ରେ ଦେଶଦ୍ରୋହ ଅଭିଯୋଗରେ ଖାଲିଦଙ୍କ ସହ ଜେଏନୟୁ ଛାତ୍ର ନେତା କହ୍ନେୟା କୁମାର ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଥିଲେ ।