ଶରୀରରେ ରକ୍ତ ଜମାଟ କରୁଛି ‘ଜନସନ୍ ଆଣ୍ଡ ଜନସନ୍’ର କୋଭିଡ୍ ନିରୋଧୀ ଟିକା…! ତୁରନ୍ତ ପ୍ରତିବନ୍ଧକ ଲଗାଇଲା ଆମେରିକା

ବିଶ୍ୱର ଅଗ୍ରଣୀ ଔଷଧ କମ୍ପାନୀ ‘ଜନସନ୍ ଆଣ୍ଡ ଜନସନ୍’ର କୋଭିଡ୍ ନିରୋଧୀ ଟିକା ଗୁରୁତର ବିପଦ ସୃଷ୍ଟି କରୁଛି। ଏହି ଟିକା ନେବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧୁଛି, ଯେଉଁ କାରଣରୁ ଆମେରିକୀୟ ଔଷଧ ନିୟାମକ ‘ଜେ ଆଣ୍ଡ ଜେ’ର କୋଭିଡ୍ ଟିକା ବ୍ୟବହାରକୁ ନେଇ କେତେକ ପ୍ରତିବନ୍ଧକ ଲଗାଇ ଦେଇଛି। US Food and Drug Administration (FDA) କହିଛି ଯେ ବର୍ତ୍ତମାନ ‘ଜେ ଆଣ୍ଡ ଜେ’ର କୋଭିଡ୍ ଟିକା କେବଳ ସେହି ବୟସ୍କ ଲୋକଙ୍କୁ ଦିଆଯାଇ ପାରିବ, ଯେଉଁମାନେ ଅନ୍ୟ କୌଣସି ଭ୍ୟାକ୍ସିନ୍ ନେଇ ପାରିବେ ନାହିଁ କିମ୍ବା ଖାସ୍ କରି, ଯେଉଁମାନେ ଏହି କମ୍ପାନୀର ଟିକା ନେବାକୁ ଅନୁରୋଧ କରୁଛନ୍ତି।
ଆମେରିକୀୟ ଅଧିକାରୀମାନେ ବିଗତ ଅନେକ ମାସରୁ ସୁପାରିଶ୍ କରି ଆସୁଛନ୍ତି ଯେ ଆମେରିକାବାସୀ ‘ଜନସନ୍ ଆଣ୍ଡ ଜନସନ୍’ର ଟିକା ପରିବର୍ତ୍ତେ ଫାଇଜର କିମ୍ବା ମାଡର୍ନାର କୋଭିଡ୍ ନିରୋଧୀ ଟିକା ହିଁ ନିଅନ୍ତୁ। FDAର ଟିକା ସମ୍ବନ୍ଧୀୟ ମୁଖ୍ୟ ଡାକ୍ତର ପିଟର ମାର୍କ୍ସ କହିଛନ୍ତି ଯେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ସମ୍ବନ୍ଧିତ ତଥ୍ୟକୁ ପୁନଃ ସମୀକ୍ଷା କରାଯାଇଥିଲା। ଏହାପରେ ଏଜେନ୍ସି ଏହି ନିଷ୍କର୍ସରେ ପହଞ୍ଚିଛି ଯେ ‘ଜେ ଆଣ୍ଡ ଜେ’ କରୋନା ଟିକାର ବ୍ୟବହାର ସୀମିତ ମାତ୍ରାରେ ହେବା ଉଚିତ।
ମାର୍କ୍ସଙ୍କ ମୁତାବକ, କୋଭିଡ-19 ସହ ମୁକାବିଲା କରିବା ପାଇଁ ଆହୁରି ଅନେକ ବିକଳ୍ପ ମଧ୍ୟ ରହିଛି, ଯାହା ସେତିକି ହିଁ ପ୍ରଭାବଶାଳୀ ହୋଇଥାଏ ଏବଂ ଲୋକମାନେ ଏହା ଆଡ଼କୁ ମୁହାଁଇବା ଦରକାର। ସୂଚନାଥାଉ କି, FDA ୨୦୨୧ରେ ୧୮ ବର୍ଷ ଏବଂ ଏହାଠୁ ଅଧିକ ବୟସର ଲୋକଙ୍କଠାରେ ‘ଜେ ଆଣ୍ଡ ଜେ’ କୋଭିଡ୍ ନିରୋଧୀ ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରିଥିଲା। ପ୍ରାରମ୍ଭରେ ଏହି ଟିକାକୁ ବିଶ୍ୱ ମହାମାରୀର ମୁକାବିଲା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ଦେଖା ଯାଉଥିଲା। କାହିଁକି ନା, ଲୋକଙ୍କୁ ଏହାର କେବଳ ସିଙ୍ଗଲ ଡୋଜ୍ ହିଁ ନେବା ପାଇଁ ଆବଶ୍ୟକ ପଡ଼ିଥାଏ। ଅବଶ୍ୟ ପରେ ଏହି ସିଙ୍ଗଲ୍ ଡୋଜ୍ ବିକଳ୍ପ ଫାଇଜର ଏବଂ ମାଡର୍ନା ଟିକା ତୁଳନାରେ କମ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା।
ଡାକ୍ତର ପିଟର ମାର୍କ୍ସ କହିଛନ୍ତି ଯେ ‘ଜେ ଆଣ୍ଡ ଜେ’ ଟିକା ନେବାର ପ୍ରଥମ ଦୁଇ ସପ୍ତାହ ଭିତରେ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ସୃଷ୍ଟି ହୋଇପାରେ। ଏମିତିରେ ଯଦି ଆପଣ ୬ ମାସ ପୂର୍ବରୁ ଟିକା ନେଇ ସାରିଛନ୍ତି, ତ ଆପଣଙ୍କ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ।