ପ୍ରତି ମୁହୂର୍ତ୍ତରେ ବିଗୁଡୁଛି ଯୋଶୀମଠର ସ୍ଥିତି: ଆଜି ମଧ୍ୟ ଭାଙ୍ଗିବ କ୍ଷତିଗ୍ରସ୍ତ ଘର, ଆଉ ବର୍ଷା ହେଲେ ବଢିଯିବ ବିପଦ

ଉତ୍ତରାଖଣ୍ଡର ଯୋଶୀମଠ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଶହ ଶହ ଲୋକଙ୍କୁ ବିପଦପୂର୍ଣ୍ଣ କ୍ଷତିଗ୍ରସ୍ତ ଘରୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ଘରରେ ଫାଟ ଦେଖିବାକୁ ମିଳିଲାଣି । ମାଟି ଧସୁଥିବା ଖବର ମଧ୍ୟ ମିଳିଛି । ଏପର୍ଯ୍ୟନ୍ତ ୮୬ ଘର ଅସୁରକ୍ଷିତ ଥିବା ଚିହ୍ନଟ କରାଯାଇଛି । ଏହାଛଡା ୧୦୦ରୁ ଅଧିକ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଘର ଏବଂ ହୋଟେଲକୁ ଭଙ୍ଗାଯିବ । ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି।

ଆଜି ପୁଣି ବୁଲିବ ବୁଲଡୋଜର । ମାଟିରେ ମିଶିବ ୬୭୮ ଘର । ବିପଦରେ ଥିବା ବାସଗୃହ, ହୋଟେଲ, ମନ୍ଦିର ସମେତ ସବୁ ଭିତ୍ତିଭୂମିରେ ଚାଲିବ ବୁଲଡୋଜର। ଫାଟିଥିବା ଘର ଆଗରେ ଛକି ଚିହ୍ନ ମାରିଛି ପ୍ରଶାସନ। ଯୋଶୀମଠରୁ ଏବେ ଯାଏ ୧୩୧ ପରିବାରକୁ ବିସ୍ଥାପିତ କରାଯାଇଛି । ପୀଡିତଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନ ଘୋଷଣା କରିଛି। ଯୋଶୀମଠ ସହରର ଶ୍ରୀନଗର, ଗାନ୍ଧିନଗର, ମନୋହରବାଗ ଆଦି ଓ୍ଵାର୍ଡକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହି ଓ୍ଵାର୍ଡରେ ପ୍ରବେଶ ଉପରେ ନିଷେଧାଦେଶ ଲାଗିଛି। ଯୋଶୀମଠର ୬୦୦ରୁ ଅଧିକ ଘର ବିପଦରେ। ଘରର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଫାଟ। ମାଟି ତଳୁ ପାଣି ବାହାରୁଛି । କେତେବେଳେ କିଛି ବି ଘଟିପାରେ ।

ସେପଟେ ହୋଟେଲ ମଲାରି ଇନ୍ ଓ ମାଉଣ୍ଟ ଭିୟୁ ଭାଙ୍ଗିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମାଲିକ। ଯୋଶୀମଠ ସହରକୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଘୋଷଣା କରାଯାଇଛି। ସହରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ସହରର ୩୦ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହୋଇଛି। ପୂରା ସହରକୁ ୩ ଭାଗରେ ବିଭକ୍ତ କରାଯାଇଛି। ଡେଞ୍ଜର ଜୋନ, ବଫର ଜୋନ ଓ ସଂପୂର୍ଣ୍ଣ ସୁରକ୍ଷିତ ଜୋନ୍। ଡେଞ୍ଜର ଜୋନରେ ଥିବା ଘର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ଫାଟ ବଢ଼ି ବଢ଼ି ଚାଲିଛି। ସାଟେଲାଇଟ୍ ସର୍ଭେ ପରେ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଯୋଶୀମଠରେ ସବୁ ନିର୍ମାଣକୁ ଏବେ ବନ୍ଦ ରଖାଯାଇଛି। ନିର୍ମାଣାଧୀନ ଜଳ ବିଦ୍ୟୁତ ପ୍ରକଳ୍ପକୁ ମଧ୍ୟ ବନ୍ଦ କରାଯାଇଛି ।

ସ୍ଥାନାନ୍ତର ହୋଇଥିବା ପରିବାରକୁ ଆସନ୍ତା ୬ ମାସ ପାଇଁ ଜଣପିଛା ୪ ହଜାର ଟଙ୍କା ସହାୟତା ଦିଆଯିବ । ହିମାଳୟର ଏହି ସହରର ସୁରକ୍ଷା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିଶେଷଜ୍ଞଙ୍କ ସୁପାରିସ ଆଧାରରେ ଯୋଜନା ପ୍ରସ୍ତୁତ କରିବେ ସରକାର। ବିଶେଷଜ୍ଞ ଟିମ ଅନୁଧ୍ୟାନ କରୁଛନ୍ତି । ଏକ୍ସର୍ଟ କମିଟିର ରିପୋର୍ଟ ମୁତାବକ ଯୋଶୀମଠ ସହରର ୩୦ ପ୍ରତିଶତ ସ୍ଥାନ ପ୍ରଭାବିତ ହୋଇଛି।

ଗତକାଲି କିଛି ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିବା ସହ NDRF ଓ SDRFକୁ ମୁତୟନ କରାଯାଇଛି । ଏ ଅଞ୍ଚଳରେ କୌଣସି ମୂହୁର୍ତ୍ତରେ ବି ବଡ଼ ଅଘଟଣ ଘଟିବାର ଆଶଙ୍କା ଲାଗି ରହିଥିବାରୁ ଅହରହ ସ୍ଥିତି ଉପରେ ନଜର ରଖିଛନ୍ତି ଏନଡିଆରଏଫ୍ ସମେତ ଏସଡିଆରଏଫର ୧୫ଟି ଟିମ୍।

 

Leave A Reply

Your email address will not be published.