ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ ରାଜ୍ୟସଭାରେ ସଦନର ନେତା ଭାବେ ନିଯୁକ୍ତ କରାଯାଇଛି । ଚଳିତ ମାସ ଆରମ୍ଭରେ ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କୁ ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ମଧ୍ୟ ହସ୍ତାନ୍ତର କରାଯାଇଥିଲା ।
ସଦନର ନେତା ଭାବରେ ଜେପି ନଡ୍ଡା ପୀୟୂଷ ଗୋଏଲଙ୍କ ସ୍ଥାନ ନେବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ପୀୟୂଷ ଗୋଏଲ ରାଜ୍ୟସଭାରେ ସଦନର ନେତା ରହିଥିଲେ ।
ସେପଟେ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ପରେ ଅନୁମାନ କରାଯାଉଥିଲା ଯେ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବେ । ୨୦୨୦ରେ ସେ ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ଥାନ ନେଇଥିଲେ । ଯଦିଓ ଏହା ଉପରେ ଦଳ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ଜେପି ନଡ୍ଡା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ମଧ୍ୟ ବଜାୟ ରଖିବେ ବୋଲି ଅନୁମାନ କରାଯାଉଛି ।