ବୁନ୍ଦି ଲଡ଼ୁ ଖାଇ ମହିଳା ଜଜ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ରହିଲେ ସପ୍ତାହେ, ଦୋକାନୀଙ୍କ ନାଁରେ FIR
ବୁନ୍ଦି ଲଡ଼ୁ ଖାଇ ଅସୁସ୍ଥ ହେଲେ ଜଜ୍ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖରାପ ବୁନ୍ଦି ଲଡ଼ୁ ଖାଇ ଜଣେ ମହିଳା ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ)ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା । ପାଖାପାଖି ୮ ଦିନ ରହିବା ପରେ ଏବେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । ସେପଟେ ଘଟଣାକୁ ନେଇ ଲଡ଼ୁ ବିକ୍ରି କରିଥିବା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ସୂଚନା ମୁତାବକ, ଲକ୍ଷ୍ନୌର ଗୋମତି ନଗରରେ ଥିବା ଏକ ପ୍ରସିଦ୍ଧ ମିଠା ଦୋକାନ ଏହି ଲଡ଼ୁ ବିକ୍ରି କରିଥିଲା । ଏହା ବିରୋଧରେ ଏଡିଜେ ମଞ୍ଜୁଳା ସରକାର ମାମଲା ରୁଜୁ କରାଇଛନ୍ତି । ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଅଭିଯୋଗ ମୁତାବକ, ଜଜ୍ଙ୍କ ସହ ତାଙ୍କ ଭଉଣୀ ଏବଂ ଘରର ସହାୟିକା ମଧ୍ୟ ଲଡ଼ୁ ଖାଇ ଅସୁସ୍ଥ ହୋଇଥିଲେ ।
ଗୋମତି ନଗର ଏସ୍ଏଚଓ କହିଛନ୍ତି, ଜୁଲାଇ ୩୧ରେ ଏଡିଜେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଫୁଡ୍ ପଏଜନିଂ ହେତୁ ଜଜ୍ଙ୍କ ମୁଣ୍ଡ ବୁଲାଇ ଦେଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ଏ ନେଇ ଧାରା ୨୭୧ ଓ ୨୭୫ରେ ମାମଲା ରୁଜୁ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।