କେଉଁଠି ଲୁଚିବେ ବାଂଲାଦେଶ ବିଚାରପତି ?

ପ୍ରଧାନମନ୍ତ୍ରୀ ଦେଶ ଛାଡ଼ି ପଳାଇଲେ । ଏବେ ବିଚାରପତିମାନଙ୍କ ପାଳି । ଅନ୍ତରୀଣ ସରକାର ଗଠନ ପରେ ବି ବାଂଲାଦେଶରେ ଥମୁନି ହିଂସା। ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହୋଇଥିଲେ। ଆଜି ଇସ୍ତଫା ଦେଲେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟକୁ ଘେରାଉ କରି ପ୍ରଧାନ ବିଚାରପତିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କଲେ ଶହଶହ ଆନ୍ଦୋଳନକାରୀ। ଏଣେ ବାଂଲାଦେଶରେ ଅସ୍ଥିରତା ଭିତରେ ଭାରତ ମୁହାଁ ଶହଶହ ବାଂଲାଦେଶୀ। ଆଜି ଅନୁପ୍ରବେଶ ଉଦ୍ୟମ କଲାବେଳେ ପଣ୍ଡ କରିଥିଲା ବିଏସଏଫ୍ ।

ଆନ୍ଦୋଳନକାରୀଙ୍କ ଧମକ ପାଖରେ ନଇଁଲା ନ୍ୟାୟାଳୟ। ବାଂଲାଦେଶ ପ୍ରଧାନବିଚାରପତି ଓବାଦୁଲ ହସନ ସମସ୍ତ ବିଚାରପତିଙ୍କୁ ନେଇ ଡାକିଥିଲେ ଫୁଲ କୋର୍ଟ ମିଟିଂ। ଅନ୍ତରୀଣ ସରକାର ଏନେଇ ସୁରାକ ପାଇନଥିଲା। ଏହା ପରେ ତେଜିଥିଲା ବିକ୍ଷୋଭ। ସୁପ୍ରିମକୋର୍ଟକୁ ଘେରିଥିଲେ ଶହଶହ ଆନ୍ଦୋଳନକାରୀ। ପ୍ରଧାନ ବିଚାରପତିଙ୍କୁ ଇସ୍ତଫା ଦେବାକୁ ମାତ୍ର ଘଣ୍ଟାଏ ସମୟ ଦେଇଥିଲେ। ଘଣ୍ଟାଏ ଭିତରେ ଇସ୍ତଫା ନଦେଲେ ସବୁ ବିଚାରପତିଙ୍କ ଘର ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହା ପରେ ପ୍ରଧାନ ବିଚାରପତି ନିଜ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଥିବା କହିଛନ୍ତି ଜଷ୍ଟିସ ଓବାଦୁଲ ହସନ। ଫୁଲ କୋର୍ଟ ମିଟିଂ ମଧ୍ୟ ବାତିଲ ହୋଇଥିଲା। ଅନ୍ତରୀଣ ସରକାରଙ୍କୁ ଅବୈଧ ଘୋଷଣା କରିବାକୁ ପ୍ରଧାନ ବିଚାରପତିଙ୍କ ଦ୍ବାରା ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗରେ ଶହଶହ ସଂଖ୍ୟାରେ ଆନ୍ଦୋଳନକାରୀ ସୁପ୍ରିମକୋର୍ଟ ପରିସରକୁ ଧସେଇ ପଶି ଅକ୍ତିଆର କରି ନେଇଥିଲେ। ଛାତ୍ର ସଂଗଠନ କହିଛି, ସୁପ୍ରିମକୋର୍ଟର ସବୁ ବିଚାରପତି ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏସବୁ ଭିତରେ ଆଶଙ୍କା ପ୍ରକାଶ ପାଇଛି କି ଶେଖ୍‌ ହସିନାଙ୍କ ଭଳି ବିଚାରପତିମାନେ ମଧ୍ୟ ଆଶ୍ରୟ ନେବା ପାଇଁ ଭାରତ ପଳାଇ ଆସି ପାରନ୍ତି ।

ଗତ ଜାନୁଆରୀରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ ଶେଖ ହସିନା। ଛାତ୍ର ଆନ୍ଦୋଳନ ତାଙ୍କୁ ଗାଦିଚ୍ୟୁତ କଲା। ନୂଆ ଅନ୍ତରୀଣ ସରକାର ଗଠନ ହେଲା। କିନ୍ତୁ ହିଂସା ଥମୁନି। ଦେଶ ସାରା ଅରାଜକତା । ହସିନା ପଦ ତ୍ୟାଗ କରିବା ପରେ ୨୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତା ପୂର୍ବରୁ ୩୨୮ ଜଣ ପ୍ରାଣ ହରାଇଥିଲେ । ଭୟଙ୍କର ପରିଣାମ ଆଣିଛି ବାଂଲାଦେଶ ହିଂସା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି। ପ୍ରତିବାଦରେ ନ୍ୟୁୟର୍କରେ ଜାତିସଂଘ ଆଗରେ ସଂଖ୍ୟାଲଘୁ ହିନ୍ଦୁ ବିକ୍ଷୋଭ କରିଛନ୍ତି। ଏପଟେ ବାଂଲାଦେଶର ସ୍ଥିତି ଭାରତର ଚିନ୍ତା ବଢ଼ାଇ ଦେଇଛି। ବାଂଲାଦେଶୀ ଏବେ ଭାରତମୁହାଁ। ସୀମାରେ ବହୁ ସଂଖ୍ୟାରେ ବାଂଲାଦେଶୀ ଆଜି ପଶ୍ଚିମବଙ୍ଗ କୁଚବେହାର ପଥାନତୁଲି ନିକଟରେ ଏକାଠି ହୋଇ ଅନୁପ୍ରବେଶ ଉଦ୍ୟମ କରିଥିଲେ। ବିଏସଏଫ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା।

ହାଇ ଆଲର୍ଟରେ ରହିଛି ଭାରତ-ବାଂଲାଦେଶ ସୀମା। ଜଳପଥ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି। ଜଗିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ ପୋଲିସ। ସେହିଭଳି ଓଡ଼ିଶାରେ ବି ସତର୍କ ରହିଛନ୍ତି ସୁରକ୍ଷା କର୍ମୀ । କାରଣ ଓଡ଼ିଶା ଉପକୂଳ ଦେଇ ସେମାନେ ଯାତାୟାତ କରିଥାନ୍ତି । ପୂର୍ବରୁ ପୋଲିସ୍‌ ଡିଜି ମଧ୍ୟ ଏ ନେଇ ସଜାଗ ରହିବାକୁ ସତର୍କ କରିଥିଲେ । ତଥାପି ଶରଣ ନେବା ପାଇଁ ଏବଂ ନିଜ ଜୀବନ ଜିବିକା ପାଇଁ ଧସେଇ ପଶି ଆସି ପାରନ୍ତି ବାଂଲାଦେଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.