ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ ଜଷ୍ଟିସ ୟୁ. ୟୁ. ଲଳିତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ ଜଷ୍ଟିସ ୟୁ. ୟୁ. ଲଳିତ । ସେ ହେବେ ଦେଶର ୪୯ତମ ପ୍ରଧାନ ବିଚାରପତି । ସେ ୭୪ ଦିନ ପାଇଁ ପ୍ରଧାନ ବିଚାରପତି ରହିବେ । ନଭେମ୍ବର ୮ ତାରିଖରେ ସେ ଅବସର ନେବେ । ଗତକାଲି ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି. ରମଣାଙ୍କ ପାଇଁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ବିଦାୟକାଳିନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜ କାର୍ଯ୍ୟକାଳ ଭିତରେ ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ।

୪୯ତମ ପ୍ରଧାନ ବିଚାରପତି ଭାବରେ ୩ଟି ପ୍ରମୁଖ ଦିଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଜଷ୍ଟିସ ୟୁ. ୟୁ. ଲଳିତ । ୭୪ ଦିନିଆ କାର୍ଯ୍ୟକାଳ ଭିତରେ ଲିଷ୍ଟିଂ ପ୍ରକ୍ରିୟାରେ ଅଧିକ ପାରଦର୍ଶିତା ଆଣିବେ । ନିର୍ଦ୍ଦିଷ୍ଟ ବେଞ୍ଚକୁ ଶୁଣାଣି ପାଇଁ ଆସୁଥିବା ତତ୍କାଳ ମାମଲାକୁ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିବା ନେଇ ଏକ ବ୍ୟବସ୍ଥା ଦିଗରେ ଫୋକସ୍‌ କରିବେ । ଏଥିସହ ବର୍ଷସାରା ଅତି କମରେ ଗୋଟିଏ ସାମ୍ବିଧାନିକ ଖଣ୍ଡପୀଠ କାମ କରିବା ତାଙ୍କର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ହେବ ।

୧୯୫୭ ମସିହା ନଭେମ୍ବର ୯ରେ ମହାରାଷ୍ଟ୍ର ସୋଲାପୁର ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ୟୁ ୟୁ ଲଳିତ । ୧୯୮୩ ମସିହାରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ୨୦୦୪ ମସିହାରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହୋଇଥିଲେ। ସେ ବିଭିନ୍ନ ମାମଲାରେ ଆମିକସ କ୍ୟୁରି ଭାବେ ଦାୟିତ୍ୱ ତୁଲାଇଛନ୍ତି। ୨୦୧୪ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଅପରାଧ ଆଇନ୍‌ ଉପରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.