ଅପେକ୍ଷାର ଖବୁଶୀଘ୍ର ହେବ ଅନ୍ତ ! କୈଳାଶ ମାନସରୋବର ଯାତ୍ରା ହେବ ଆରମ୍ଭ

ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଗତ ୪ ବର୍ଷରୁ ଅଧିକ ସମୟ ଧରି ଜାରି ହୋଇଥିବା ସୀମା ବିବାଦ ଏବେ ତୁଟିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଦୀର୍ଘ ୪ ବର୍ଷ ଧରି ବନ୍ଦ ରହିଥିବା କୈଳାଶ ମାନସରୋବର ଯାତ୍ରା ପୁଣିଥରେ ଆରମ୍ଭ ହେବାକୁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି ।
୨୦୨୩ରେ ବେଜିଂରେ ଆୟୋଜିତ ହୋଇଥିବା ବୈଠକରେ ସୀମା ବିବାଦକୁ ନେଇ ଆଲେଚନା କରାଯାଇଥିଲା । ଏହାସହିତ କୈଳାଶ ମାନସରୋବର ଯାତ୍ରାକୁ ଆରମ୍ଭ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏବେ ଦୁଇ ପକ୍ଷ ଯାତ୍ରା ଆରମ୍ଭ କରିବାକୁ ସହମତି ପ୍ରକାଶ କରିଛନ୍ତି । ଚଳିତଥର ଯାତ୍ରା ଟିକେ ବିଳମ୍ବରେ ଆରମ୍ଭ ହେବ । ଚୀନ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧାର ନବୀକରଣ କରିବାକୁ ସମୟ ଚାହୁଁଛି ।
ଏଥିରେ ପ୍ରଥମ ପଦକ୍ଷେପ ଥିଲା, LAC ରେ ଉତ୍ତେଜନା ହ୍ରାସ କରିବା । ଉଭୟ ଦେଶର ସେନା ନିଜ ନିଜ ଅଞ୍ଚଳରେ ସାଧାରଣ ପାଟ୍ରୋଲିଂ କରୁଛନ୍ତି । ଏହା ସହିତ, ୨୦୨୦ ମସିହାରୁ ବନ୍ଦ ଥିବା ମାନସରୋବର ଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ପଥ ପରିଷ୍କାର ହୋଇଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସ୍ପଷ୍ଟ କରିଛନ୍ତି ଯେ, ଆମେ ଚୀନ୍ ସହିତ ଆଲୋଚନା କରୁଛୁ। ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକୁ ଧୀରେ ଧୀରେ ଆଗକୁ ବଢ଼ାଯାଉଛି । କୈଳାଶ ମାନସରୋବର ଯାତ୍ରା ଖୁବ୍ ଶୀଘ୍ର ଆରମ୍ଭ ହେବ। ଆମେ ଏଥିପାଇଁ ପ୍ରସ୍ତୁତି କରିଛୁ । ଖୁବ୍ ଶୀଘ୍ର ଆମେ ଲୋକଙ୍କ ପାଇଁ ଏକ ନୋଟିସ୍ ମଧ୍ୟ ଜାରି କରିବୁ ।
ମାନସରୋବର ଯାତ୍ରା ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଆୟୋଜିତ ହୁଏ । ଭାରତରେ କରୋନା ଯୋଗୁଁ ଏହି ଯାତ୍ରା 2020 ମସିହାରେ ବନ୍ଦ ହୋଇଯାଇଥିଲା । ଏହା ପରେ, ପୂର୍ବ ଲଦାଖରେ ଉତ୍ତେଜନା ଏହି ଯାତ୍ରା ଆରମ୍ଭ କରିବାକୁ ଦେଇ ନଥିଲା । ୨୦୨୪ ନଭେମ୍ବରରେ ରିଓ ଡି ଜେନେରିଓରେ ଅନୁଷ୍ଠିତ G-20 ଶିଖର ସମ୍ମିଳନୀ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଥିଲେ । ଏହି ବୈଠକରେ କୈଳାଶ ମାନସରୋବର ଯାତ୍ରା ପୁନଃଆରମ୍ଭ କରିବା ପ୍ରସଙ୍ଗ ଉଠିଥିଲା । ୨୭ ଜାନୁଆରୀ ୨୦୨୫ରେ ଭାରତର ବୈଦେଶିକ ସଚିବ ଚୀନର ଉପ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ୨୦୨୫ ଗ୍ରୀଷ୍ମ ଋତୁରେ କୈଳାଶ ମାନସରୋବର ଯାତ୍ରା ପୁଣି ଆରମ୍ଭ କରାଯିବ । କୈଳାଶ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ଆଗକୁ ବଢ଼ିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
Also Read : ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା ଆରମ୍ଭ, ଘରେ ବସି ପୂଜା ପାଇଁ କରନ୍ତୁ ଅନଲାଇନ ବୁକିଂ, ଜାଣନ୍ତୁ କେମିତି