ଓଭରଲୋଡ୍‌ ହୋଇ ୧୦ ଫୁଟ୍‌ ତଳକୁ ଖସିପଡ଼ିଲା ଲିଫ୍ଟ, ଅଳ୍ପକେ ରକ୍ଷା ପାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଭୟରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ଇନ୍ଦୋରରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଏହି ଦୁର୍ଘଟଣା ଲିଫ୍ଟ ଓଭରଲୋଡ୍‌ ଯୋଗୁ ଘଟିଛି। ୧୫ ଲୋକଙ୍କ କ୍ଷମତା ଥିବା ଏହି ଲିଫ୍ଟରେ ୨୦ ଲୋକ ଚଢ଼ିଥିଲେ। ଫଳରେ ଲିଫ୍ଟ ଓଭରଲୋଡ୍‌ ହୋଇ ପାଖାପାଖି ୧୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଖବରରୁ ଜଣାପଡ଼ିଛି, କମଲନାଥ ଏଠାରେ ଡିଏନ୍‌ଏସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ମନ୍ତ୍ରୀ ରାମେଶ୍ୱର ପଟେଲଙ୍କ ହାଲଚାଲ ପଚାରିବାକୁ ଆସିଥିଲେ।

କମଲନାଥଙ୍କ ସହିତ ପୂର୍ବତନ ମନ୍ତ୍ରୀ ଜିତୁ ପଟଓ୍ଵାରୀ ଓ ସଜ୍ଜନ ସିଂ ବର୍ମା ମଧ୍ୟ ଲିଫ୍ଟରେ ଉପସ୍ଥିତ ଥିଲେ। ଏ ନେଇ ଖବର ପାଇ ଇନ୍ଦୋର ପ୍ରଶାସନ ତତ୍ପର ହୋଇଉଠିଥିଲା। ତୁରନ୍ତ ଲିଫ୍ଟ ଇଞ୍ଜିନିୟରଙ୍କୁ ଡକାଯାଇଥିଲା। ଇଞ୍ଜିନିୟରମାନେ ଘଟଣାସ୍ଥଳରେ ପହଞ୍ଚି ଲିଫ୍ଟ ଡୋର୍‌ ଖୋଲି କମଲନାଥଙ୍କ ସମେତ ସମସ୍ତ ନେତାକୁ ବାହାରକୁ ବାହାର କରିଥିଲେ। ଏହି ଦୁର୍ଘଟଣାକୁ ନେଇ କମଲନାଥ ଭୟଭୀତ ହୋଇପଡ଼ିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।

ଏ ନେଇ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫୋନ୍‌ରେ ଯୋଗାଯୋଗ କରି କମଲନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାପରେ ସେ ଟ୍ଵିଟ୍‌ କରିଥିଲେ କି, ‘ଇନ୍ଦୋରର ଘରୋଇ ହସ୍ପିଟାଲ ଲିଫ୍ଟରେ ଚଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଜୀ ଏବଂ ଅନ୍ୟ ସାଥୀମାନେ ଖସି ପଡ଼ିବାର ଖବର ପାଇଲି। ଫୋନ୍‌ରେ ତାଙ୍କ ହାଲ୍‌ଚାଲ ପଚାରି ବୁଝିଲି। ଈଶ୍ୱରଙ୍କ କୃପାରୁ ସବୁକିଛି ଠିକ୍‌ ଅଛି’। ଇନ୍ଦୋର ଜିଲାପାଳ ଏହି ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.