ସମୁଦ୍ର କୂଳରେ ଯୋଗ କରୁଥିଲେ ଅଭିନେତ୍ରୀ, ଭସାଇ ନେଲା ଲହଡି

ସମୁଦ୍ର କୂଳରେ ଯୋଗ କରିବା ସମୟରେ ଭାସିଗଲେ ଋଷିଆନ ଅଭିନେତ୍ରୀ । ଅଭିନେତ୍ରୀଙ୍କ ନାମ କମିଲା ବେଲ୍ୟାଟସ୍କାୟା ସମୁଦ୍ର କୂଳରେ ଯୋଗ କରୁଥିବା ବେଳେ ଜୁଆରରେ ଭାସିଯାଇଥିଲେ । ସମୁଦ୍ର ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୋସିଆଲ ମିଡିଆରେ ଅଭିନେତ୍ରୀ ଜଣକ ସମୁଦ୍ରରେ ଭାସି ଯାଉଥିବାର ଫୁଟେଜ ଭାଇରାଲ ହେବାରେ ଲାଗିଛି ।

ସିସିଟିଭି ଫୁଟେଜ ଅନୁଯାୟୀ, ଅଭିନେତ୍ରୀ କମିଲା ଲାଲରଙ୍ଗର କାରରେ ସମୁଦ୍ର କୂଳରେ ପହଞ୍ଚିଥିଲେ । ଅଭିନେତ୍ରୀ ଥାଇଲ୍ୟାଣ୍ଡର କୋହ ସାମୁଇ ଦ୍ୱୀପରେ ଯୋଗ ମ୍ୟାଟ ବିଛାଇ ଯୋଗ କରିବା ଆରମ୍ଭ କରିଥିଲେ । ଯୋଗ କରିବାର କିଛି ସମୟ ପରେ ସମୁଦ୍ରରେ ପ୍ରବଳ ଲହଡ଼ି ଆସିଥିଲା । ଏହି ଲହଡ଼ି କମିଲାଙ୍କୁ ଭସାଇ ନେଇଥିଲା ।  ଏହା ଦେଖି ଜଣେ ବ୍ୟକ୍ତି ବଞ୍ଚାଇବା ପାଇଁ ପାଣିକୁ ଡେଇଁଥିଲେ କିନ୍ତୁ ଉଦ୍ଧାର କରିବାରେ ଅସଫଳ ହୋଇଥିଲେ । ଉଦ୍ଧାରକାରୀ ଦଳ ଘଟଣାର ୧୫ ମିନିଟ ମଧ୍ୟରେ ସେଠାରେ ପହଞ୍ଚିଥିଲେ । ହେଲେ ଅଭିନେତ୍ରୀଙ୍କ ମୃତଦେହକୁ ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିଲା ।

ସମୁଦ୍ରରେ ଏଭଳି ବଡ଼ବଡ଼ ଲହଡ଼ି ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଥିଲା ପୋଲିସ । ଏମିତି କି ବିପଦପୂର୍ଣ୍ଣ ସ୍ଥାନରେ ଲାଲ ପତାକା ବି ଲଗାଇଥିଲା । କିନ୍ତୁ ଅଭିନେତ୍ରୀ ଏହି ସଙ୍କେତକୁ ଅବହେଳା କରି ବିପଦପୂର୍ଣ୍ଣ ସ୍ଥାନରେ ଯୋଗ କରିଥିଲେ । ଆଉ ସମୁଦ୍ରରେ ଭାସି ଯାଇଥିଲେ ।  କମିଲା ଏହି ଦ୍ବୀପକୁ ଖୁବ ପସନ୍ଦ କରନ୍ତି । ତେଣୁ ପ୍ରାୟତଃ କମିଲା ଏହି ସ୍ଥାନକୁ ବୁଲିବାକୁ ଓ ଯୋଗ କରିବାକୁ ଆସିଥାଆନ୍ତି ।