ରାନ୍ୟା ରାଓଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ସୁନା ତସ୍କରୀ ମାମଲାରେ ଜେଲରେ ବନ୍ଦ ଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ଜାମିନ ଆବେଦନ ପୁଣିଥରେ ଖାରଜ କରିଛନ୍ତି କୋର୍ଟ । ଏକ ସେସନ କୋର୍ଟ ଗୁରୁବାର ରାନ୍ୟାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ରାନ୍ୟା ଙ୍କର ଜାମିନ ଆବେଦନ ଖାରଜ ହୋଇ ସାରିଛି । ଜାମିନ ପାଇଁ ରାନ୍ୟା ହାଇକୋର୍ଟ ଦ୍ବାରସ୍ଥ ହୋଇପାରନ୍ତି ।

କୋର୍ଟ ତାଙ୍କ ଆଦେଶରେ ତାଙ୍କ ଜାମିନ ନାମଞ୍ଜୁର କରିବାର ଅନେକ କାରଣ ଉଲ୍ଲେଖ କରିଛନ୍ତି । ତଦନ୍ତକାରୀ ଅଧିକାରୀମାନେ କୋର୍ଟକୁ କହିଥିଲେ ଯେ, ରାନ୍ୟାଙ୍କ ମାମଲାର ଅନ୍ତର୍ଜାତୀୟ ଲିଙ୍କ୍ ରହିଛି । ତେଣୁ ଏହା ସୀମାପାର ପ୍ରଭାବ ନେଇ ଚିନ୍ତା ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି । ରାନ୍ୟାଙ୍କର ବାରମ୍ବାର ବିଦେଶ ଯାତ୍ରା ସମୟରେ ସେ କଷ୍ଟମ୍ସ ବ୍ୟାଗେଜ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି । ରେକର୍ଡ ଅନୁଯାୟୀ ସେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୨୭ ଥର ବିଦେଶ ଯାତ୍ରା କରିଥିଲେ ।

ଏଭଳି ସ୍ଥିତିରେ ଯଦି ତାଙ୍କୁ ଜାମିନ୍ ଦିଆଯାଏ, ତେବେ ସେ ପ୍ରମାଣକୁ ହେରଫେର କରିପାରିବେ କିମ୍ବା ତଦନ୍ତକୁ ବାଟବଣା କରିପାରନ୍ତି ବୋଲି କର୍ତ୍ତୃପକ୍ଷ ଯୁକ୍ତି କରିଥିଲେ । କୋର୍ଟ ଏହି ଯୁକ୍ତିକୁ ମଧ୍ୟ ଧ୍ୟାନରେ ରଖି ଜାମିନ ଆବେଦନ ଖାରଜ କରିଛନ୍ତି। କୋର୍ଟ ଯୁକ୍ତି ଦର୍ଶାଇଥିଲେ ଯେ ଯଦି ତାଙ୍କୁ ମୁକ୍ତ କରାଯାଏ, ତେବେ ସେ ଦେଶ ଛାଡ଼ି ପଳାଇ ଯାଇପାରିବେ । ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି କିମ୍ବା ତଦନ୍ତରେ ବାଧା ସୃଷ୍ଟି କରିପାରନ୍ତି ବୋଲି କୋର୍ଟ କହିଛନ୍ତି । ମାର୍ଚ୍ଚ ୧୪ ତାରିଖରେ ଅର୍ଥନୈତିକ ଅପରାଧର ଏକ ସ୍ୱତନ୍ତ୍ର କୋର୍ଟ ରାନ୍ୟାଙ୍କ ଜାମିନ ଖାରଜ କରିଥିଲେ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୩ରେ ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁ କେମ୍ପାଗୌଡ଼ା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପହଞ୍ଚିଥିଲେ । ଭିଆଇପି ପ୍ରୋଟୋକଲ୍ ଅଧିନରେ ଗ୍ରୀନ୍ ଚ୍ୟାନେଲ୍ ଦେଇ ବାହାରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ ବେଳେ ରାନ୍ୟା ସୁନା ଚୋରେଇ ନେଇଯାଉଥିବା ଜଣାପଡିଥିଲା । ତାଙ୍କ ଅଣ୍ଟା ଓ ଗୋଡ଼ରେ ବ୍ୟାଣ୍ଡେଜ ଓ ଟିସୁ ସାହାଯ୍ୟରେ ଲୁଚାଇ ରଖିଥିବା ସୁନା ବିସ୍କୁଟ୍ ଧରାପଡ଼ିଥିଲା । ଏହାଛଡ଼ା ତାଙ୍କ ଜୋତା ଓ ଜ୍ୟାକେଟର ପକେଟ୍‌ରେ ବି ସୁନା ଖଣ୍ଡ ମିଳିଥିଲା ।

Also Read : ହେଲମେଟ ନ ପିନ୍ଧିବାରୁ ୧୦ ଲକ୍ଷର ଚାଲାଣ କାଟିଲା ପୋଲିସ, ୧୧ମାସ ହେଲା ଟ୍ରାଫିକ ଥାନାକୁ ଦୌଡୁଛନ୍ତି ଯୁବକ