କନୌଜ ରେଲୱେ ଷ୍ଟେସନରେ ବଡ଼ ଅଘଟଣ, ଭୁଶୁଡିଲା ନିର୍ମାଣାଧିନ ଛାତ, ଅନେକ ଶ୍ରମିକ ଦବିଥିବା ଆଶଙ୍କା
ଉତ୍ତର ପ୍ରଦେଶ କନୌଜ ରେଲୱେ ଷ୍ଟେସନରେ ଏକ ନିର୍ମାଣାଧିନ ଛାତ ଭୁଶୁଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଠାରେ ଚାଲିଥିବା ଦୁଇମହଲା କୋଠାର ଲେଣ୍ଟର ହଠାତ୍ ଭୁଶୁଡି ପଡିଥିଲା । ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ପ୍ରଶାସନ କହିବା ମୁତାବକ, ଏଠାରେ ଅନେକ ଶ୍ରମିକ ଦବିଥିବା ଆଶଙ୍କା ରହିଛି । ଏମାନଙ୍କୁ ଖୋଜା ଚାଲିଛି । ରେଲୱେ ଷ୍ଟେସନରେ ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି । ଘଟଣାର ଗମ୍ଭୀରତାକୁ ଆଖି ଆଗରେ ରଖି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦବିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ପ୍ରଶାସନ ଦୁର୍ଘଟଣାର କାରଣ ଖୋଜୁଛି । ଦୁର୍ଘଟଣାରେ ୧୮ ଶ୍ରମିକ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଉଦ୍ଧାର ଆହତଙ୍କୁ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।