ମେରଠ: ବିଦ୍ୟୁତ୍ ତାରରେ ବାଜିଲା ୨୪ ଫୁଟ୍ର କାଉଡ଼ି ଭାର, ପୋଡ଼ି ହୋଇ ୭ କାଉଡ଼ିଆ ଗୁରୁତର

ଉତ୍ତର ପ୍ରଦେଶର ମେରଠରେ କାଉଡ଼ି ଯାତ୍ରା ବେଳେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ୨୪ ଫୁଟ୍ର ଏକ ସୁସଜ୍ଜିତ କାଉଡ଼ି ଭାର ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୭ ଜଣ କାଉଡ଼ିଆ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ମେରଠର ବାଗପତ୍ ଫ୍ଲାଏଓଭର ନିକଟରେ ଏହି ଘଟଣା ଘଟିଛି ।
ମିଳିଥିବା ସୂଚନା ମୁତାବକ, କାଉଡ଼ିଆମାନଙ୍କର ଏକ ଗ୍ରୁପ୍ ୨୪ ଫୁଟିଆ କାଉଡ଼ି ଭାର ଧରି ଫ୍ଲାଏଓଭର ଦେଇ ଯାଉଥିଲେ । ଏହି ସମୟରେ କାଉଡ଼ି ଭାର ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । କରେଣ୍ଟ୍ ଲାଗିଯିବାରୁ ୭ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଥିଲେ । ଏହି ସମସ୍ତ କାଉଡ଼ିଆ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି ।
ଖବର ମିଳିବା ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ତୁରନ୍ତ ବିଦ୍ୟୁତ୍ ଲାଇନ୍କୁ ବନ୍ଦ କରି ଦିଆଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ଆହତ କାଉଡ଼ିଆମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛି ।
ସିଟି ଏସ୍ପି ଆୟୁଷ ବିକ୍ରମ ସିଂ କହିଛନ୍ତି ଯେ ଟିପି ନଗରରେ ବାଗପତ୍ ଫ୍ଲାଏଓଭର ନିକଟରେ ଏହି ଘଟଣା ଘଟିଛି । ୨୪ ଫୁଟିଆ କାଉଡ଼ି ଭାର ୩୫ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ କରେଣ୍ଟ୍ ଚାଲି ଆସିଥିଲା । ଏଥିରେ ୩ ଜଣ କାଉଡ଼ିଆ ଗୁରୁତର ଭାବରେ ପୋଡ଼ି ହୋଇଯାଇଥିବା ବେଳେ ଆଉ କିଛି କାଉଡ଼ିଆ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ମୁତାବକ, ୨୪ ଫୁଟ୍ର ଏହି କାଉଡ଼ି କାଠରେ ତିଆରି ହୋଇଥିଲା । ତେଣୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ସମସ୍ତ କାଉଡ଼ିଆ ଦିଲ୍ଲୀର ଶାଲିମାର୍ ବାଗ ହାଇଦରପୁରର ବାସିନ୍ଦା । ସେମାନେ ହରିଦ୍ୱାରରୁ କାଉଡ଼ି ଭାର ଧରି ଦିଲ୍ଲୀ ଅଭିମୁଖେ ଯାଉଥିଲେ । ଏହି ଦୁର୍ଘଟଣା ଯୋଗୁ କାଉଡ଼ି ଭାରରେ ନିଆଁ ଲାଗିଯାଇଥିଲା ।