କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍ ତାଙ୍କୁ ହୃଦ୍ଘାତ ଆସିଥିଲା । ମୃତ୍ୟୁର କାରଣ ହୃଦ୍ଘାତ ବୋଲି କୁହାଯାଉଛି । ବିକ୍ଷୋଭସ୍ଥଳରେ ନେତାଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ମିଳିଥିବା ସୂଚନା ମୁତାବକ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେପି ନେତା ତଥା ପୂର୍ବତନ ଏମ୍ଏଲ୍ସି ଏମ୍ବି ଭାନୁପ୍ରକାଶ (୬୯) ଏଠାରେ ଧାରଣାରେ ବସିଥିଲେ । ଜୁନ୍ ୧୭ରେ ବିକ୍ଷୋଭ ପ୍ରଦର୍ଶନ ପରେ ହଠାତ୍ ତାଙ୍କୁ ହୃଦ୍ଘାତ ଆସିଥିଲା । ଶିବମୋଗାରେ ବିଜେପି ଦ୍ୱାରା ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ।
ପୂର୍ବରୁ ଭାନୁପ୍ରକାଶ ଦଳର ରାଜ୍ୟ ଉପାଧ୍ୟକ୍ଷ ଏବଂ ଜିଲ୍ଲା ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଶିବମୋଗାରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନେଇ ଶ୍ରମିକମାନଙ୍କୁ ସମ୍ବୋଧିତ କରିଥିଲେ । ପୋଲିସ କହିଛି ଯେ ଭାନୁପ୍ରକାଶ ନିଜ କାର୍ରେ ବସିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ ଏବଂ ସେଠାରେ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ନିକଟ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କହି ରଖୁଛୁ ଯେ କର୍ଣ୍ଣାଟକ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ ଟିକସକୁ ଯଥାକ୍ରମେ ୨୯.୮୪ ପ୍ରତିଶତ ଏବଂ ୧୮.୪୪ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହି ଦରବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ମୂଲ୍ୟ ବୃଦ୍ଧିକୁ ବିରୋଧ କରି ବିଜେପି ରାଜ୍ୟ ଅଧ୍ୟକ୍ଷ ବିଓ୍ଵାଇ ବିଜୟେନ୍ଦ୍ର ଜୁନ୍ ୧୫ରେ କହିଥିଲେ ଯେ ଦଳ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୁନ୍ ୧୭ରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । ଏହି ପରିପ୍ରେକ୍ଷୀରେ ବିଜେପି ନେତା ଭାନୁପ୍ରକାଶ ଧାରଣାରେ ବସିଥିଲେ । ଜୁନ୍ ୧୭ରେ ବିକ୍ଷୋଭ ପ୍ରଦର୍ଶନ ପରେ ସେ ତାଙ୍କ କାର୍ରେ ବସିବାକୁ ଯାଉଥିବା ବେଳେ ହଠାତ୍ ବେହୋଶ୍ ହୋଇ ପଡ଼ିଯାଇଥିଲେ ।