ଯେମିତି କରିଥିଲେ ସେମିତି ପାଇଲେ କୁମାରସ୍ବାମୀ, ୧୨ ବର୍ଷ ପରେ ହିସାବ ବରାବର କଲା ବିଜେପି

କର୍ଣ୍ଣାଟକରେ ମାସେ ହେଲା ଚାଲିଥିବା ନାଟକର ଯବନିକା ପଡ଼ିଛି । ଭାଙ୍ଗିଯାଇଛି କୁମାରସ୍ୱାମୀଙ୍କ ୧୪ ମାସର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଶ୍ୱାସ ମତ ହାସଲ କରି ପାରିଲା ନାହିଁ । ଆସ୍ଥା ଭୋଟ ସପକ୍ଷରେ ୯୯ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ୍‌ ପଡିଛି । ଆସ୍ଥା ଭୋଟ ବେଳେ ଗୃହରେ ଉପସ୍ଥିତ ଥିଲେ ୨୦୪ ସଦସ୍ୟ। ଏଥିରୁ ସ୍ପଷ୍ଟ କୁମାରସ୍ୱାମୀଙ୍କ ସରକାର ୪ଟି ଭୋଟରେ ହାରିଲେ। ଏହାସହ କର୍ଣ୍ଣାଟକରେ ବିଜେପି ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି। ବି ଏସ୍‌ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

ତେବେ ଯେମିତି କର୍ମ କରିଛନ୍ତି କୁମାରସ୍ବାମୀ ସେମିତି ଫଳ ମଧ୍ୟ ପାଇଛନ୍ତି । ଯାହା କୁମାରସ୍ବାମୀଙ୍କ ସହ ହୋଇଛି ଠିକ୍ ସେମିତି ତାଙ୍କ ଯୋଗୁଁ କଂଗ୍ରେସ୍ ଏବଂ ବିଜେପି ସରକାର ମଧ୍ୟରେ ହୋଇଥିଲା ।

୨୦୦୪ରେ ଭାଙ୍ଗିଥିଲା କଂଗ୍ରେସ୍ ସରକାର :

dharamsingh୨୦୦୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ସମୁଦାୟ ୨୨୪ ସିଟ୍ ମଧ୍ୟରୁ ବିଜେପିକୁ ୭୯, କଂଗ୍ରେସକୁ ୬୫ , ଜେଡିଏସକୁ ୫୮ ଏବଂ ଅନ୍ୟାନ୍ୟକୁ ମିଳିଥିଲା ୨୩ ସିଟ୍ । ଅର୍ଥାତ୍ କୌଣସି ବି ପାର୍ଟିକୁ ମିଳି ନଥିଲା ବହୁମତ । ଏମିତିରେ କଂଗ୍ରେସ୍ ଆଉ ଜେଡିଏସ୍ ମଧ୍ୟରେ ହୋଇଥିଲା ମେଂଟ । ଆଉ କଂଗ୍ରେସ୍ ନେତା ଧରମସିଂହ ୨୮ ମେ’ ୨୦୦୪ରେ ହୋଇଥିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ହେଲେ ବେଶୀ ଦିନ ଯାଏଁ ତିଷ୍ଠି ପାରିନଥିଲା ଏହି ସରକାର । ପ୍ରାୟ ଦୁଇ ବର୍ଷ ପରେ ନିଜ ବିଧାୟକଙ୍କ ସମର୍ଥନ ଫେରାଇ ନେଇଥିଲେ କୁମାରସ୍ବାମୀ ଆଉ ଭାଙ୍ଗିଦେଇଥିଲେ ଧରମସିଂହଙ୍କ ସରକାର । ସେତେବେଳେ ବି ସମାନ ରାଜନୈତିକ ନାଟକ ଦେଖିବାକୁ ମିଳିଥିଲା ଏବେ ଯେମିତି ଗତ ତିନି ସପ୍ତାହ ଧରି ଚାଲିଥିଲା ।

ଏହା ସହ ପଢନ୍ତୁ ଭାଙ୍ଗିଲା କୁମାରସ୍ବାମୀଙ୍କ ସରକାର, ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବିଜେପି ସାଥିରେ ମଧ୍ୟ ଧୋକା :

ଧରମସିଂହ ସରକାର ଭାଙ୍ଗିବା ପରେ ବିଜେପି ସହ ମେଂଟ କରିଥିଲେ କୁମାରସ୍ବାମୀ । ଏହା ପରେ ସେ ୨୦୦୬ରେ ସମ୍ଭାଳିଥିଲେ କର୍ଣ୍ଣାଟକର ଶାସନଭାର । ତେବେ ଉଭୟ ଦଳର ନେତା ସମାନ ସମାନ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ଏବଂ ଜେଡିଏସ୍ ମଧ୍ୟରେ ସହମତି ହୋଇଥିଲା । କୁମାରସ୍ବାମୀ ନିଜ କାର‌୍ୟ୍ୟକାଳ ପୁରା କରିନେଲେ କିନ୍ତୁ ଯେତେବେଳେ ବିଜେପିର ସତ୍ତା ସ୍ବପ୍ନ ଆସିଲା ସେତେବେଳେ ଏମିତି କରିବାକୁ ମନା କରିଦେଇଥିଲେ । କେବଳ ସେତିକି ନୁହେଁ ୧୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କୁମାରସ୍ବାମୀ । ଯାହା ଫଳରେ କର୍ଣ୍ଣାଟକରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ ରାଜ୍ୟପାଳ ।

୨୦୦୭ ରେ ଭାଙ୍ଗିଥିଲେ ବିଜେପି ସରକାର :

Yeddyurappaକୁମାରସ୍ବାମୀଙ୍କ ଇସ୍ତଫା ପରେ ଦୁଇ ଦିନ ଯାଏଁ କର୍ଣ୍ଣାଟକ ରେ ରାଷ୍ଟ୍ରପତି ଶାସନ ଚାଲିଥିଲା । ଏହା ପରେ ଶାସନଭାର ସମ୍ଭାଳିଥିଲା ବିଜେପି । ଆଉ ୧୨ ନଭେମ୍ବର ୨୦୦୭ରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ବନିଥିଲା । ଯାହାକୁ କୁମାରସ୍ବାମୀ ବାହାରୁ ସମର୍ଥନ କରିଥିଲେ । କିନ୍ତୁ ସାତ ଦିନ ପରେ ନିଜ ସମର୍ଥନ ଫେରାଇନେଇଥିଲେ କୁମାରସ୍ବାମୀ । ଯାହା ଫଳରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ୟେଦୁରପ୍ପା ।

ଯାହା ଲଗାଇଲେ ତାହା ପାଇଲେ :

ତେବେ କର୍ଣ୍ଣାଟକର ରାଜନୀତି ଏମିତି କଡ ଲେଉଟାଇଲା ଯେ କୁମାରସ୍ବାମୀ ଯାହା କରିଥିଲେ ତାହା ପାଇଲେ । ୨୦୧୮ରେ କର୍ଣ୍ଣାଟକ ବିଧାନସଭାରେ କେଉଁ ଦଳକୁ ବି ମିଳିନଥିଲା ବହୁମତ । ତେବେ ରାଜ୍ୟର ସବୁଠାରୁ ବଡ଼ ଦଳ ହୋଇଥିବାରୁ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ । କିନ୍ତୁ ବିଧାନସଭାରେ ବହୁମତ ପ୍ରମାଣ କରିପାରିଲେନି ।

ଏହା ପରେ କୁମାରସ୍ବାମୀଙ୍କ ନେତୃତ୍ୱରେ ଜେଡିଏସ୍ ଏବଂ କଂଗ୍ରେସ୍ ମିଶି ସରକାର ବନାଇଥିଲେ । କିନ୍ତୁ ୧୪ ମାସ ପରେ କଂଗ୍ରେସର ୧୩ ଏବଂ ଜେଡିଏସର ୩ ବିଧାୟକ ଇସ୍ତଫା ଦେଇଥିଲେ । ଯାହା ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିଲେନି କୁମାରସ୍ବାମୀ । ଅର୍ଥାତ୍ ତାଙ୍କୁ ବି ସେମିତି ରାଜନୈତିକ ପରିସ୍ଥିତିର ସାମ୍ନା କରିବାକୁ ପଡିଲା ଯେମିତି କେବେ ଧରମସିଂହ ଏବଂ ୟେଦୁରପ୍ପାଙ୍କୁ କରିବାକୁ ପଡିଥିଲା । ଏହିପରି ଉଭୟ କଂଗ୍ରେସ୍ ଏବଂ ବିଜେପିର ହିସାବ ବରାବର ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.