ସାଧାରଣ ଲୋକଙ୍କୁ ଲାଗିଲା ଝଟକା, ୪ ଟଙ୍କା ବଢ଼ିଲା କ୍ଷୀର ଦାମ୍

ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ । ଲୋକଙ୍କୁ ପନିପରିବା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏବେ ଦୁଗ୍ଧ ଉତ୍ପାଦନ କରୁଥିବା କମ୍ପାନୀ କ୍ଷୀରର ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି । କ୍ଷୀର ଦାମ୍ ୧/୨ ନୁହେଁ ବରଂ ୪ ଟଙ୍କା ବଢିଛି । କର୍ଣ୍ଣାଟକ ମିଲ୍କ ଫେଡେରେସନ ନିଜର ବ୍ରାଣ୍ଡ ନନ୍ଦିନୀ ନାମରେ ବିକ୍ରି ହେଉଥିବା କ୍ଷୀର ଦାମ ଲିଟର ପିଛା ୪ ଘଣ୍ଟା ବଢାଇବାକୁ ଘୋଷଣା କରିଛି । ନନ୍ଦିନୀ ବ୍ରାଣ୍ଡର କ୍ଷୀର ଏବଂ ଘିଅ ଉଚ୍ଚ ଗୁଣବତ୍ତା ସଂପନ୍ନ ହୋଇଥିବାରୁ ସମସ୍ତଙ୍କ ପ୍ରଥମ ପସନ୍ଦ ।

ଏହି ଦାମ୍ ବଢିବା ପରେ କର୍ଣ୍ଣାଟକରେ ଟୋନ୍ଡ କ୍ଷୀର ପ୍ରତିଲିଟର ୪୬ ଟଙ୍କା ହୋଇଛି । ଯାହା ପୂର୍ବରୁ ୪୨ ଟଙ୍କା ରହିଥିଲା । ସେହିପରି ହୋମୋଜିନାଇଜ୍ଡ କ୍ଷୀର ଦାମ ପୂର୍ବରୁ ୪୩ ଟଙ୍କା ରହିଥିବା ବେଳେ ଏବେ ୪୭ ଟଙ୍କା ହୋଇଛି । ଗାଈ କ୍ଷୀର ଦାମ୍ ୪୬ ଟଙ୍କା ରହିଥିବ ବେଳେ ଏବେ ବଢି ୫୦ ଟଙ୍କା ହୋଇଛି । କେବଳ କ୍ଷୀର ନୁହେଁ ଏହି କମ୍ପାନୀର ଦହି ଦାମ୍ ମଧ୍ୟ ୫୦ ଟଙ୍କାରୁ ବଢି ୫୪ ଟଙ୍କାରେ ପହଞ୍ଚିଛି ।

କର୍ଣ୍ଣାଟକ ମିଲ୍କ ଫେଡେରେସନ କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟକୁ ମଧ୍ୟ କ୍ଷୀର ଏବଂ ଦହି ଯୋଗାଣ କରିଥାଏ ।

ସୂଚନାଯୋଗ୍ୟ, ଦେଶର ବଡ ଦୁଗ୍ଧ କମ୍ପାନୀ ଅମୁଲ ଏବଂ ମଦର ଡେରୀ ନିକଟରେ କ୍ଷୀର ଦାମ୍‌ ବଢାଇଥିଲା । ମାସ ଆରମ୍ଭରୁ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବଢିଥିଲା । ଏକ ଲିଟର ଅମୁଲ ଗୋଲ୍ଡ ପାଇଁ ୬୬ ଟଙ୍କା ବଦଳରେ ୬୮ ଟଙ୍କା । ସେହିପରି ଅଧକିଲୋକୁ ୩୪ ଟଙ୍କା, ଅମୁଲ ତାଜା ଅଧାଲିଟର ପାଇଁ ୨୬ ବଦଳରେ ୨୭ ଟଙ୍କା । ସେହିପରି ଲିଟର ପିଛା ୫୪ ରୁ ୫୬ ଟଙ୍କା ରହିଛି । ଅମୁଲ ଗାଈ କ୍ଷୀର ଲିଟର ପ୍ରତି ୫୬ ଟଙ୍କା ଦେବାକୁ ହେବ । ସେହିପରି ଅମୁଲ ସ୍ଲିମ ୪୮ ଏବଂ ଟ୍ରିମ ୪୯ ଟଙ୍କା ଲିଟର ପିଛା ଦେବାକୁ ହେବ ।

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀର ଦାମ ବଢାଇଛି । ମଦର ଡେରୀ ୨ ଟଙ୍କା ଲିଟର ପ୍ରତି ଦାମ୍‌ ବଢାଇଥିଲା । ମଦର ଡେରୀ ଫୁଲ କ୍ରିମ କ୍ଷୀର ୬୮ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଟୋନଡ ମିଲ୍କ ୫୬ ଟଙ୍କା ପ୍ରତି ଲିଟର ମିଳିବ । ସେହିପରି ଡବଲ ଟୋନଡ କ୍ଷୀର ଲିଟର ଦାମ୍‌ ୫୦ ଟଙ୍କା ରହିଛି ।

Also Read : କ୍ୟାନ୍ସର ଓ ମଧୁମେହ ରୋଗୀଙ୍କୁ ଝଟକା, ସରକାର ବଢାଇବେ ଔଷଧ ଦାମ୍