ତିରୁପତି ଲଡୁ ବିବାଦ : କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ, ମନ୍ଦିରରେ ବ୍ୟବହାର ହେବେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଘିଅ ପଶୁ ଚର୍ବି ଏବଂ ମାଛ ତଲେ ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର । ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକରେ ନନ୍ଦିନୀ ବ୍ରାଣ୍ଡ ଏକ ବିଶ୍ୱାସନୀୟ ନାମ । ନନ୍ଦିନୀ ବ୍ରାଣ୍ଡର କ୍ଷୀର ଏବଂ ଘିଅ ଉଚ୍ଚ ଗୁଣବତ୍ତା ସଂପନ୍ନ ହୋଇଥିବାରୁ ସମସ୍ତଙ୍କ ପ୍ରଥମ ପସନ୍ଦ ।
କର୍ଣ୍ଣାଟକ ସରକାର ଗାଇଡଲାଇନ ଜାରି କରି କହିଛନ୍ତି ଯେ, ରାଜ୍ୟର ମନ୍ଦିର ପରିଚାଳନା ସଂସ୍ଥା ଅଧୀନରେ ଥିବା ସମସ୍ତ ୩୪ ହଜାର ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରାଯିବ । ରାଜ୍ୟ ଅଧୀନରେ ଥିବା ସମସ୍ତ ମନ୍ଦିରରେ କେବଳ କର୍ଣ୍ଣାଟକ ମିଲ୍କ ଫଡେରେସେନ୍ (KMF) ଦ୍ୱାରା ଉତ୍ପାଦିତ ନନ୍ଦିନୀ ଘିଅ ବ୍ୟବହାର କରାଯିବ । ଠାକୁରଙ୍କ ପାଖରେ ଲାଗିହେଉଥିବା ଭୋଗ ବା ପ୍ରସାଦ ସହ ଦୀପ ଜାଳିବା ପାଇଁ ମଧ୍ୟ ନନ୍ଦିନୀ ଘିଅ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ଚଳିତ ବର୍ଷ ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଆନ୍ଧ୍ର ପ୍ରଦେଶ ତିରୁପତି ମନ୍ଦିରର ଲଡ଼ୁ ବଣ୍ଟନ ହୋଇଥିଲା ।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ପୂର୍ବରୁ ୱାଇଏସଆର କଂଗ୍ରେସ ଜଗନ ସରକାର ଏଭଳି କରିଥିବା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଛି । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।