ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବାଲକର ଓ ଏମଏଲସି ସଦସ୍ୟ ଚେନ୍ନାରାଜ

କର୍ଣ୍ଣାଟକର ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବାଲକରଙ୍କ କାର୍ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏଥିରୁ ମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । ଦୁର୍ଘଟଣା ସମୟରେ ତାଙ୍କ ଭାଇ ତଥା କର୍ଣ୍ଣାଟକ ବିଧାନ ପରିଷଦ (MLC) ସଦସ୍ୟ ଚେନ୍ନାରାଜ ହଟ୍ଟିହୋଲି ମଧ୍ୟ କାର୍ ଭିତରେ ଥିଲେ । ତାଙ୍କୁ ବି ଆଘାତ ଲାଗିଛି । ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସକାଳ ପ୍ରାୟ ୫ଟା ୩୦ରେ କିତୁରରେ ଏହି ଦୁର୍ଘଟଣା ଘଟିଛି । ସୋମବାର ବେଙ୍ଗାଲୁରୁରେ ବିଭିନ୍ନ ପାର୍ଟି କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟାରେ ବିଧାୟକ ଦଳର ବୈଠକରେ ଯୋଗଦେବା ପରେ ମନ୍ତ୍ରୀ ସଡ଼କ ମାର୍ଗ ଦେଇ ବେଲଗାଭି ଯିବାକୁ ନିଷ୍ପତ୍ତି ନେଇଥିଲେ । କାରଣ, ବେଙ୍ଗାଲୁରୁରୁ ବେଲଗାଭିକୁ ବିଳମ୍ବିତ ରାତିରେ ଫ୍ଲାଇଟ୍ ନ ଥିଲା ।

ସକାଳେ ଯେତେବେଳେ ତାଙ୍କ କାର୍ କିତୁର ନିକଟରେ ପହଞ୍ଚିଥିଲା, ହଠାତ୍ ଏକ କୁକୁର କାର୍ ଆଗକୁ ଚାଲିଆସିଥିଲା । କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଗାଡ଼ିର ଷ୍ଟିଅରିଂ ବୁଲାଇ ଦେଇଥିଲେ । ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ପିଟି ହୋଇଯାଇଥିଲା ।

ତେବେ ସୌଭାଗ୍ୟବଶତଃ, ଗାଡ଼ିର ସମସ୍ତ ସେଫ୍ଟି ଏୟାରବ୍ୟାଗ୍ ଖୋଲିଯିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଦୁର୍ଘଟଣାରେ ମନ୍ତ୍ରୀଙ୍କ ମୁହଁ, ପିଠି ଓ ଅଣ୍ଟାରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଚେନ୍ନାରାଜଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ ମନ୍ତ୍ରୀ ଓ ଚେନ୍ନାରାଜ ଆହତ ହୋଇଛନ୍ତି । ମନ୍ତ୍ରୀଙ୍କ ଗୋଡ଼ରେ ମାମୁଲି ଫ୍ରାକ୍ଚର ହୋଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ଡିସଚାର୍ଜ କରାଯିବ । କାର୍ ଡ୍ରାଇଭର ଓ ଗନମ୍ୟାନ୍ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି ।

ଆହୁରି ପଢ଼ନ୍ତୁ: ତାମିଲନାଡୁ : ପାସେଞ୍ଜର ଟ୍ରେନର ୫ ବଗି ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

You might also like