ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କଲେ ୧ କୋଟି ଟଙ୍କା ପୁରସ୍କାର ଦେବ କରନୀ ସେନା

ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଏବଂ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ଦେବା ପରଠାରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏବେ କରନୀ ସେନା ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କଲେ ପୋଲିସ ଅଧିକାରୀଙ୍କୁ ପୁରସ୍କାର ଦେବା କଥା କହିଛି । କରନୀ ସେନାର ଜାତୀୟ ଅଧ୍ୟକ୍ଷ ଡ. ରାଜ ଶେଖାୱତ ୧ କୋଟି ୧୧ ଲକ୍ଷ ୧୧ ହଜାର ୧ ଶହ ୧୧ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।
ଗତ ବର୍ଷ ରାଜସ୍ଥାନରେ କରନୀ ସେନାର ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଲରେନ୍ସ ବିଷ୍ଣୋଇଙ୍କ ନାମ ଆସିଥିଲା । ରାଜ ଶେଖାୱତ ଇନଷ୍ଟାଗ୍ରାମରେ ଜାରି କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଏଥିରେ ସେ କହିଛନ୍ତି, ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କରିଥିବା କୌଣସି ବି ପୋଲିସ ଅଧିକାରୀଙ୍କୁ ସେମାନେ ୧,୧୧,୧୧,୧୧୧ ଟଙ୍କା ପୁରସ୍କାର ଦେବେ । ଯିଏ ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କରିବେ, ତାଙ୍କୁ ଏହି ପୁରସ୍କାର ରାଶି ଦିଆଯିବ ବୋଲି କରନୀ ସେନା ଘୋଷଣା କରିଛି । ଦେଶ ପାଇଁ ଲରେନ୍ସ ବିଷ୍ଣୋଇ ବିପଦ ବୋଲି କହି ରାଜ ଶେଖାୱତ ଗୁଜରାଟ ସରକାରଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।
ଭିଡିଓ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆମର ଅମୂଲ୍ୟ ରତ୍ନ ତଥା ସହିଦ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ଏନକାଉଣ୍ଟର କଲେ ପୋଲିସ ଅଧିକାରୀଙ୍କୁ କ୍ଷେତ୍ରୀୟ କରନୀ ସେନା ପୁରସ୍କୃତ କରିବ । ତାଙ୍କୁ ୧,୧୧,୧୧,୧୧୧ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାସହିତ ବାହାଦୂର ପୋଲିସ ଅଧିକାରୀଙ୍କ ପରିବାରର ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଦାୟିତ୍ୱ ମଧ୍ୟ ଆମେ ନେବୁ । ଜୟ ମାଁ କରନୀ’ ।
କହି ରଖୁଛୁ, କରନୀ ସେନାର ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ୨୦୨୩ ଡିସେମ୍ବର ୫ରେ କିଛି ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଏହାର କିଛି ଘଣ୍ଟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା ।