ଚେନାବ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, କଶ୍ମୀର ଥଣ୍ଡାକୁ ଦୃଷ୍ଟିରେ ରଖି କରାଯାଇଛି ଡିଜାଇନ

ଜମ୍ମୁ କଶ୍ମୀର ପାଇଁ ବନ୍ଦେ ଭାରତ ସ୍ବପ୍ନ ପୂରଣ ହୋଇଛି । ବିଶ୍ବର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି । ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ରେଲୱେ ବ୍ରିଜରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଛି । କଶ୍ମୀରର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନ କରାଯାଇଛି । ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଖୁବ୍ଶୀଘ୍ର ହେବାକୁ ଯାଉଛି ।
ବନ୍ଦେ ଭାରତ ଏକ୍ସପ୍ରେସ ନିଜର ଅତ୍ୟାଧୁନିକ ସୁବିଧା ସହିତ କମ୍ ସମୟରେ ଯାତ୍ରା କରିବା ପାଇଁ ସର୍ବୋତ୍ତମ । କେବଳ ୩ ଘଣ୍ଟା ୧୦ ମିନିଟରେ ୧୬୦ କିମି ଯାତ୍ରା କରିବ । ଏହି ଟ୍ରେନ କଟରାରୁ ୮.୧୦ରେ ଛାଡି ଏବଂ ୧୧.୨୦ରେ ଶ୍ରୀନଗରରେ ପହଞ୍ଚିବ । ପୁଣି ଶ୍ରୀନଗରରୁ ୧୨.୪୫ରେ ଛାଡିବ ଏବଂ ୧୫.୫୫ରେ ପହଞ୍ଚିବ । ଟ୍ରେନର ଟିକେଟ ଦାମ୍, ୧୫୦୦ରୁ ୧,୬୦୦ ଟଙ୍କା ଏବଂ ଚେୟାର କାର ୨,୨୦୦ରୁ ୨,୫୦୦ ଟଙ୍କା ରହିଛି । ଏହି ଟ୍ରେନ କଟରା-ବାରମୂଳା ଟ୍ରାକରେ ଚାଲିବ ।
ଟ୍ରେନର ସ୍ବତନ୍ତ୍ରତା :
କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ନେଇ ଏହି ଟ୍ରେନ୍କୁ ସ୍ବତନ୍ତ୍ର ଡିଜାଇନସହ ସଜାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ, ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ଡ୍ରାଇଭର କୋଚ୍ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି । ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଛି । ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍କୁ ଗରମ ରଖିବ । ତେଣୁ ଗ୍ଲାସରେ ବରଫ ଜମିବ ନାହିଁ ।
ଇଞ୍ଜିନର ୱିଣ୍ଡସ୍କ୍ରିନ ୱାପରର ଗରମ ପାଣି ଛିଞ୍ଚିବ, ଯେଉଁ କାରଣରୁ କାକର ଜମା ହେବନାହିଁ । ଫଳରେ ଟ୍ରେନ୍ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ । ସମସ୍ତ କୋଚ୍ରେ ଉତ୍ତମ ଥର୍ମୋଷ୍ଟାଟ ବ୍ୟବହାର କରାଯାଇଥିବାରୁ ଏହା ମାଇନସ୍ ତାପମାତ୍ରାରେ ମଧ୍ୟ ଲୋକଙ୍କ ଯାତ୍ରା ଆରାମଦାୟକ ରହିବ । ଜଳ ଯୋଗାଣ ପାଇପରେ ମଧ୍ୟ ଡବଲ ଟ୍ରିପଲ ଇନ୍ସୁଲେସନ ରହିଛି । ଯେଉଁ କାରଣରୁ ପାଇପରେ ପାଣି ବରଫ ହେବ ନାହିଁ । ୱାଶରୁମରେ ଆକାର ମଧ୍ୟ ବୃଦ୍ଧି କରାଯାଇଛି । ଟ୍ରେନରେ ବିମାନ ଭଳି ଟଏଲେଟର ସୁବିଧା ଦିଆଯାଇଛି । ଏହା ବ୍ୟତୀତ ଫ୍ଲାସ୍ ସିଷ୍ଟମ ମାଇନସ୍ ତାପମାତ୍ରାରେ ଜାମ୍ ନ ହେବା ପାଇଁ ଏଠାରେ ଗରମ ପ୍ୟାଡ୍ ମଧ୍ୟ ସ୍ଥାପନ କରାଯାଇଛି । ତୁଷାରପାତ ସମୟରେ ବ୍ରେକ୍ ଠିକ୍ ଭାବରେ କିପରି କାର୍ୟ୍ୟ କରିପାରିବ ଏହା ଉପରେ ଧ୍ୟାନ ଦିଆଯାଇଛି ।
Also Read : ଜମ୍ମୁ: ରହସ୍ୟମୟ ରୋଗରେ ୧୭ ଜଣଙ୍କ ମୃତ୍ୟୁ ପରେ ଏହି ଗାଁ ‘କଣ୍ଟେନମେଣ୍ଟ’ ଜୋନ୍ ଘୋଷିତ