ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥଙ୍କ କପାଟ; ୧୦୮ କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର

ଆଜିଠୁ ଦର୍ଶନ ଦେବେ କେଦାରନାଥ । ଖୋଲିଲା ବାବାଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ ଏବଂ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ ।
ଏହି ସମୟରେ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହାଦେବଙ୍କ ବନ୍ଦନା କରିବା ସହ ଏହି ଅଦ୍ଭୁଦ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଦ୍ବାର ଖୋଲିବାର କିଛି ସମୟ ପରେ ବାବାଙ୍କ ଦର୍ଶନ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । କପାଟ ଉଦଘାଟନ ପାଇଁ ମନ୍ଦିରକୁ ୧୦୮ କ୍ବିଣ୍ଟାଲ ଫୁଲରେ ସଜା ଯାଇଥିଲା ।
ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏବଂ ପୋଲିସ ସହ ସୁରକ୍ଷା ବଳ ଉପସ୍ଥିତ ଥିଲେ । ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିଲା । ସେପଟେ ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲାଯାଇଛି। ସେହିପରି ଆସନ୍ତା ୪ ତାରିଖରେ ବଦ୍ରିନାଥ ଧାମ ଖୋଲିବ ।
ଆହୁରି ପଢ଼ନ୍ତୁ : କେଦାରନାଥ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ହେଲିକପ୍ଟର ସେବା