କେଦାରନାଥରେ ବର୍ଷା ସାଙ୍ଗକୁ ପ୍ରବଳ ତୁଷାରପାତ: ସୋନପ୍ରୟାଗରେ ଯାତ୍ରା ଠପ୍‌, ଫସିଛନ୍ତି ୧୦ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ

ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କିନ୍ତୁ କେଦାରନାଥ ଯାତ୍ରା ଆରମ୍ଭ ହେବା ମାତ୍ରେ ଶ୍ରଦ୍ଧାଳୁଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଛି। କେଦାରନାଥରେ ପ୍ରବଳ ବର୍ଷା ଓ ବରଫ ଯୋଗୁଁ ସୋନପ୍ରୟାଗରେ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ମଙ୍ଗଳବାର ସକାଳ ଠାରୁ ଆରମ୍ଭ ହୋଇଛି ତୁଷାରପାତ ଫଳରେ ଯାତ୍ରୀମାନଙ୍କୁ ସୋନପ୍ରୟାଗରୁ ଆଉ ଆଗକୁ ଯିବାକୁ ଦିଆଯାଇନାହିଁ। ଏନେଇ ପୋଲିସ ଅଧିକାରୀ ପ୍ରବୋଧ ଘିଡ୍ଲିଆଲ କହିଛନ୍ତି ଯେ ପ୍ରବଳ ତୁଷାରପାତ ହେବା ଯୋଗୁ ସୋନପ୍ରୟାଗର ସୀତାପୁର ରାମପୁର ଠାରେ ପ୍ରାୟ ୮ ରୁ ୧୦ ହଜାର ଯାତ୍ରୀ ଅଟକି ରହିଛନ୍ତି।

ତେବେ ବୁଧବାର ତୁଷାରାତ କମିବାରୁ ଆଜି ସକାଳେ ଯାତ୍ରୀମାନେ ପୁଣି କେଦାରନାଥ ଯାତ୍ରା କରିପାରନ୍ତି ବୋଲି ସୂଚନା ରହିଛି। ଅନ୍ୟପଚେ ଯମୁନୋତ୍ରୀ ମାର୍ଗରେ ମଧ୍ୟ ପ୍ରବଳ ବର୍ଷା ଓ ତୁଷାରପାତ ହୋଇଛି। ସେଠାରେ ମଧ୍ୟ ଯାତ୍ରୀମାନଙ୍କୁ ଜାନକିଚଟ୍ଟି ପାଖରେ ପ୍ରଶାସନ ପକ୍ଷରୁ ରୋକା ଯାଇଛି। ତେବେ ପାଣିପାଗ ବିଭାଗ ପକ୍ଷରୁ କେଦାରନାଥରେ ବର୍ଷା ଓ ଅରେଞ୍ଚ ଆଲର୍ଟ ଜାରି କରାଯାଇଛି।

କେଦାରଘାଟିରେ ପାଣିପାଗ ବିଗିଡ଼ିବା ପାରେ ଯାତ୍ରୀମାନେ ପ୍ରଭାବିତ ହୋଇଛନ୍ତି। ମଙ୍ଗଳବାର କେଦାରନାଥରେ ପାଞ୍ଚ ଇଞ୍ଚର ବରଫ ବର୍ଷା ହୋଇଛି। ପାଣିପାଗ ଖରାପ ହେବା ଯୋଗୁ ହେଲିକାପ୍ଟର ସେବା ମଧ୍ୟ ପ୍ରଭାବିତ ହୋଇଛି। ସେପଟେ ବଦ୍ରିନାଥରେ ଦିନ ତମାମ ବର୍ଷା ଏବଂ ତୁଷାରପାତ ହୋଇଛି। ହେମକୁଣ୍ଡ ସାହିବରେ ତିନିଇଞ୍ଚର ବରଫ ବର୍ଷା ହୋଇଛି। ହେଲେ ସେଠାରେ ଯାତ୍ରା ଜାରି ରହିଛି।

ରୁଦ୍ରପ୍ରୟାଗ, ଗୁପ୍ତକାଶୀ ଭଳି ସ୍ଥାନରେ ୫ ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ଫସି ରହିଛନ୍ତି। ସୋନପ୍ରୟାଗରେ ୨ ହଜାର ଗୌରୀକୁଣ୍ଡରେ ୩୨୦୦ ଯାତ୍ରୀ ରହିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ନିଜ ନିଜ ହୋଟେଲକୁ ଫେରିଯିବାକୁ ଅନୁରୋଧ କରାଯାଇଛି। ଖରାପ ପାଣିପାଗ ଆଗକୁ ବଢିପାରେ ତେଣୁ ଯାତ୍ରା କରିବା ବିପଦଜନକ ରହିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ବିପଦ ମଧ୍ୟ ବଢିପାରେ। କେଦାରନାଥରେ ରବିବାର ଠାରୁ ଧୀରେ ଧୀରେ ବର୍ଷା ହେଉଛି। ତେଣୁ ଏବେ କିଛିଦିନ ଯାଏଁ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

Leave A Reply

Your email address will not be published.