ବ୍ରିଟେନରେ ବଡ଼ ପରିବର୍ତ୍ତନ: ନୂଆ ପ୍ରଧାନମନ୍ତ୍ରୀ ହେବେ କେର୍ ଷ୍ଟାରମର, ଶୁଭେଚ୍ଛା ଜଣାଇଲେ ରିଷି ସୁନକ
ନୂଆଦିଲ୍ଲୀ : ବ୍ରିଟେନରେ ବଡ଼ ପରିବର୍ତ୍ତନ । ଶାସକ କନଜରଭେଟିଭ ପାର୍ଟିର ଶୋଚନୀ ପରାଜୟ। ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି । ଏବେ ଭାରତର ଜ୍ବାଇଁ ତଥା କନଜରଭେଟିଭ୍ ପାର୍ଟିର ନେତା ଋଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି । କିନ୍ତୁ ମ୍ୟାଜିକ ନମ୍ବର ୩୨୬ ପାର କରି ସାରିଛି ଲେବର ପାର୍ଟି। ବିପୁଳ ବିଜୟ ସହ ସରକାର ଗଢ଼ିବାକୁ ଯାଉଛି ଲେବର ପାର୍ଟି। ନୂଆ ପ୍ରଧାନମନ୍ତ୍ରୀ ହେବେ କେର୍ ଷ୍ଟାରମର। ତାଙ୍କ ନେତୃତ୍ବରେ ବିପୁଳ ବିଜୟ ହାସଲ କରିଛି ଲେବର ପାର୍ଟି। ପାଖାପାଖି ୪୧୦ ଆସନ ଲେବର ପାର୍ଟି ଏବଂ ୧୩୧ ଆସନ କଂଜରଭେଟିଭ୍ ପାର୍ଟି ପାଇବା ନେଇ ଆକଳନ କରାଯାଇଛି । ମୋଟ୍ ଭୋଟରଙ୍କ ମଧ୍ୟରେ ୨୫ ଲକ୍ଷ ପ୍ରବାସୀ ଭାରତୀୟ ରହିଛନ୍ତି ।
ଅନ୍ୟପଟେ କେର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ। କନଜରଭେଟିଭ ପାର୍ଟିର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । ଅନ୍ୟପଟେ ନିଜ ଆସନ ସୁରକ୍ଷି ରଖି ପାରିଛନ୍ତି ସୁନକ । ସେ ୪୭.୫ ପ୍ରତିଶତ ଭୋଟ ପାଇବା ସହ ବିଜୟୀ ହୋଇଛନ୍ତି। ୪୧୦ ଆସନରେ ଲେବର ପାର୍ଟି ବିଜୟୀ ହେବା ନେଇ ବିଭିନ୍ନ ଏଗଜିଟ ପୋଲ ଆକଳନ କରିଥିଲେ। ବ୍ରିଟେନ୍ ହାଉସ ଅଫ୍ କମନ୍ସର ସିଟ ସଂଖ୍ୟା ୬୫୦ ରହିଥିବା ବେଳେ ସରକାର ଗଢ଼ିବା ପାଇଁ ଆବଶ୍ୟକ ୩୨୬ ସିଟ୍।