ମୌସୁମୀ ପୂର୍ବରୁ ପ୍ରବଳ ବର୍ଷା ଆଣିଲା ସମସ୍ୟା ! କେରଳରେ ଭୂସ୍ଖଳନ ଆଲର୍ଟ, ଅନେକ ପର୍ଯ୍ୟଟନସ୍ଥଳୀ ବନ୍ଦ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୩୧ ଆଖପାଖରେ କେରଳ ସୀମା ଛୁଇଁପାରେ । କିନ୍ତୁ ଏହାପୂର୍ବରୁ କେରଳ ଏବଂ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇଯାଇଛି । ତାମିଲନାଡୁର ଅନେକ ଅଞ୍ଚଳରେ ମେ’ ୨୦ରେ ପ୍ରବଳ ବର୍ଷା ହୋଇଥିଲା ଏବଂ କେରଳର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୩୧ ଆଖପାଖରେ କେରଳ ସୀମା ଛୁଇଁପାରେ । କିନ୍ତୁ ଏହାପୂର୍ବରୁ କେରଳ ଏବଂ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇଯାଇଛି । ତାମିଲନାଡୁର ଅନେକ ଅଞ୍ଚଳରେ ମେ’ ୨୦ରେ ପ୍ରବଳ ବର୍ଷା ହୋଇଥିଲା ଏବଂ କେରଳର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି । ଏହି ବର୍ଷାର ପ୍ରଭାବ ଏତେ ଅଧିକ ହୋଇପାରେ ଯେ ସରକାର ସମସ୍ତ ଜିଲ୍ଲାରେ ଜରୁରୀକାଳୀନ କେନ୍ଦ୍ର ଖୋଲି ରଖିଛନ୍ତି ।

ତାମିଲନାଡୁର ତିରୁଚିରାପଲ୍ଲୀରେ ପ୍ରବଳ ବର୍ଷା ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଆଣିଦେଇଛି । ଘରେ ବର୍ଷା ପାଣି ପଶିଯିବା ସହ ରାସ୍ତାରେ ପାଣିର ସୁଅ ଛୁଟୁଛି, ଯେଉଁ କାରଣରୁ ଲୋକମାନେ ଯିବାଆସିବା କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କେରଳର ଗ୍ରାମାଞ୍ଚଳ ଏବଂ ସହରର ତଳୁଆ ଅଞ୍ଚଳରେ ଜଳାର୍ଣ୍ଣବ ଅବସ୍ଥା ଏବଂ ଗଛଗୁଡ଼ିକ ଉପୁଡ଼ି ପଡ଼ିବା ଘଟଣା ସାମ୍ନାକୁ ଆସିଛି।

ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଏବଂ ରୋଗର ଆଶଙ୍କା ଥିବାରୁ ଜରୁରୀକାଳୀନ କେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକୁ ଆଲର୍ଟ ମୋଡ୍‌ରେ ରଖାଯାଇଛି । କେରଳ ସରକାର କହିଛନ୍ତି ଯେ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ସମସ୍ତ ଜିଲ୍ଲା କଲେକ୍ଟର ଅଫିସ୍‌ ଏବଂ ଏହାସହ ଜଡ଼ିତ କାର୍ଯ୍ୟାଳୟରେ ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ର ଖୋଲାଯାଇଛି । ମହାମାରୀ ବିସ୍ତାର ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରଖାନାଗୁଡ଼ିକୁ ସତର୍କ କରାଯାଇଛି ଏବଂ ଯୋଗାଣ ସାମଗ୍ରୀ ରଖାଯାଇଛି ।

ରାଜସ୍ୱ ମନ୍ତ୍ରୀ କେ. ରାଜନ କହିଛନ୍ତି ଯେ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ବର୍ଷା ସ୍ଥିତି ସମ୍ପର୍କରେ ସଚେତନ କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ଭାବ୍ୟ ଭୂସ୍ଖଳନର ବିପଦକୁ ଦୃଷ୍ଟିରେ ରଖି ପାହାଡ଼ିଆ ଅଞ୍ଚଳରେ କଡ଼ା ନିୟମ ଉପରେ ଜୋର୍‌ ଦିଆଯାଇଛି । ଆବଶ୍ୟକ ହେଲେ ପାହାଡ଼ିଆ ଅଞ୍ଚଳରେ ରାତ୍ରି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ପ୍ରବଳ ବର୍ଷା ଯୋଗୁ ଉପକୂଳବର୍ତ୍ତୀ ଅଲାପୁଝାରେ କୁଟ୍ଟନାଡର ଅନେକ ନିମ୍ନ ଅଞ୍ଚଳରେ ପାଣି ପଶିଯାଇଛି, ଯେତେବେଳେ କି, କୋଚ୍ଚିରେ ଜଳାର୍ଣ୍ଣବ କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନର ଆଶଙ୍କା ଥିବାରୁ ତ୍ରିଶୁରରେ ଭଜାଚଲ ଏବଂ ଅଥିରାପଲିର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ମଙ୍ଗଳବାରଠାରୁ ବନ୍ଦ ରହିବ ।

Leave A Reply

Your email address will not be published.