କେରଳ ନୁହେଁ ଏବେ ‘କେରଳମ୍’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିଛି ଏବଂ ରାଜ୍ୟର ନାମ ଔପଚାରିକ ଭାବେ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛି ।
ବିଧାନସଭା ଦ୍ୱିତୀୟ ଥର ଏହି ପ୍ରସ୍ତାବ ପାରିତ କରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମେ ପ୍ରସ୍ତାବର ସମୀକ୍ଷା କରି କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲା ।
କେରଳ ବିଧାନସଭା ରାଜ୍ୟର ନାମ କେରଳରୁ ‘କେରଳମ୍’ କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରିଛି । ଏହାକୁ ବିଧାନସଭାରେ ବିରୋଧୀ କଂଗ୍ରେସର ନେତୃତ୍ୱାଧୀନ ୟୁଡିଏଫ୍ ଏବଂ ଶାସକ ଦଳ ସର୍ବସମ୍ମତିକ୍ରମେ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରସ୍ତାବ ଉପସ୍ଥାପନ କରି ସମ୍ବିଧାନରେ ରାଜ୍ୟର ନାମ ‘କେରଳମ୍’ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
୨୦୨୩ରେ ଏହି ପ୍ରସ୍ତାବ ବିଧାନସଭାରେ ଗ୍ରହଣ କରାଯାଇଥିଲା, କିନ୍ତୁ ବୈଷୟିକ କାରଣରୁ ପୁନର୍ବାର ଉପସ୍ଥାପନ କରିବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟର ମାଲାୟାଲମ୍ ନାମ ହେଉଛି ‘କେରଳମ୍’ । ୧୯୫୬ ନଭେମ୍ବର ୧ରେ ଭାଷାଭିତ୍ତିକ ଭାବେ ରାଜ୍ୟଗୁଡ଼ିକର ଗଠନ କରାଯାଇଥିଲା । ନଭେମ୍ବର ୧ରେ ମଧ୍ୟ କେରଳ ରାଜ୍ୟ ଗଠିତ ହୋଇଥିଲା । ଆମ ରାଜ୍ୟର ନାମ ସମ୍ବିଧାନର ପ୍ରଥମ ସୂଚୀରେ କେରଳ ରୂପେ ଉଲ୍ଲେଖିତ । ସମ୍ବିଧାନର ଧାରା ୩ ଅନୁସାରେ ଏହାକୁ କେରଳମ୍ ରୂପେ ସଂଶୋଧନ କରିବାକୁ ଏବଂ ସମ୍ବିଧାନର ୮ମ ସୂଚୀରେ ଉଲ୍ଲେଖିତ ସମସ୍ତ ଭାଷାରେ ଏହାକୁ ‘କେରଳମ୍’ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଉତ୍ତର ପ୍ରଦେଶ ସହିତ ମଧ୍ୟ ପ୍ରଦେଶରେ ମଧ୍ୟ ବିଭିନ୍ନ ସହର, ମୋହଲ୍ଲା ଏବଂ ଛକର ନାମ ବଦଳାଯାଇ ସାରିଛି । ୟୁପିର ଯୋଗୀ ସରକାର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଛନ୍ତି । ଏହିପରି ମଧ୍ୟ ପ୍ରଦେଶ ସରକାର ହୋସଙ୍ଗାବାଦ ଜିଲ୍ଲାର ନାମ ବଦଳାଇ ନର୍ମଦାପୁରମ୍ କରିଛନ୍ତି ।