ପତଞ୍ଜଳି ଭ୍ରାମକ ବିଜ୍ଞାପନ: ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି

ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି ହୋଇଛି । କେରଳର ଏକ କୋର୍ଟ ଭ୍ରାମକ ବିଜ୍ଞାପନ ମାମଲାରେ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ପଲକ୍କଡ଼ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦ୍ଵିତୀୟ ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣ ଏବଂ ଦିବ୍ୟ ଫାର୍ମାସୀ (ପତଞ୍ଜଳି ଆୟୁର୍ବେଦର ମାର୍କେଟିଂ ଶାଖା) ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।

କେରଳ ଡ୍ରଗ୍ ରେଗୁଲେଟର୍ସ ଦ୍ୱାରା ପତଞ୍ଜଳି ଆୟୁର୍ବେଦ ବିରୋଧରେ ଅଭିଯୋଗ ପଞ୍ଜିକୃତ ହେବା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି । ପଲକ୍କଡ଼ର ଡ୍ରଗ୍ ଇନ୍ସପେକ୍ଟର ଏହି ମାମଲାରେ ଆବେଦନକାରୀ ଥିଲେ । ମାଜିଷ୍ଟ୍ରେଟ୍ କୋର୍ଟ ଜାନୁୟାରୀ ୧୬ରେ ନିଜ ଆଦେଶରେ କହିଥିଲେ ଯେ ଅଭିଯୋଗକାରୀ ଅନୁପସ୍ଥିତ ଅଛନ୍ତି । ସମସ୍ତ ଅଭିଯୁକ୍ତ ଅନୁପସ୍ଥିତ ଅଛନ୍ତି । ଅଭିଯୁକ୍ତମାନଙ୍କ ପାଇଁ ଜାମିନ୍ ଯୁକ୍ତ ୱାରେଣ୍ଟ ଜାରି କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧ରେ ହେବ ।

ରିପୋର୍ଟ ମୁତାବକ, ପଲକ୍କଡ଼ କୋର୍ଟ ଜାନୁୟାରୀ ୧୬ରେ ୱାରେଣ୍ଟ ଜାରି କରିଥିଲେ । ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ରୂପେ ହାଜର ହେବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସେମାନେ କୋର୍ଟକୁ ଆସି ନ ଥିଲେ ।

ଅଭିଯୋଗ ଅନୁସାରେ, ପତଞ୍ଜଳିର ବିଜ୍ଞାପନରେ ଦାବି କରାଯାଇଛି କି, ପତଞ୍ଜଳି ଆୟୁର୍ବେଦର କିଛି ଉତ୍ପାଦ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ ଠିକ୍ କରିପାରିବ । ଯେତେବେଳେ କି, ଡିଏମ୍ଆର୍ ଆକ୍ଟ (Drugs and Magic Remedies) ଅଧୀନରେ ଏଭଳି ବିଜ୍ଞାପନ ନିଷେଧ ରହିଛି ।

ଆହୁରି ପଢ଼ନ୍ତୁ: ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ, ଆପଣ ବ୍ୟବହାର କରୁନାହାନ୍ତି ତ ଏହି ସବୁ ପ୍ରଡକ୍ଟ

You might also like