କେରଳ ରାଜ୍ୟପାଳଙ୍କ ଶାଲ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଆରିଫ୍‌ ମହମ୍ମଦ ଖାନ

କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପଲକ୍କଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ହଠାତ୍‌ ରାଜ୍ୟପାଳଙ୍କ ଶାଲ୍‌ରେ ନିଆଁ ଲାଗିଯାଇଥିଲା । ଯଦିଓ ତୁରନ୍ତ ଏହାକୁ ଲିଭାଯାଇଥିଲା । ସୌଭାଗ୍ୟବଶତଃ, ପାର୍ଶ୍ୱରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ରାଜ୍ୟପାଳଙ୍କ ଶାଲ୍‌ରେ ନିଆଁ ଲାଗିଥିବାର ଦେଖିନେଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

ସୂତ୍ରରୁ ଜଣାପଡ଼ିଛି ଯେ ଶବରୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ରାଜ୍ୟପାଳ ଯୋଗଦେଇଥିଲେ । ଯେତେବେଳେ ସେ ଦୀପ ପ୍ରଜ୍ଜ୍ୱଳନ କରିବାକୁ ନଇଁଥିଲେ, ତାଙ୍କ ଶାଲ୍‌ରେ ନିଆଁ ଲାଗିଯାଇଥିଲା । ପାଖରେ ଥିବା ବ୍ୟକ୍ତି ଜଣକ ଏହା ଦେଖି ରାଜ୍ୟପାଳଙ୍କ କାନ୍ଧରୁ ଶାଲ୍‌ଟିକୁ ତତକ୍ଷଣାତ ଟାଣି ଦେଇଥିଲେ ଏବଂ ହାତରେ ନିଆଁ ଲିଭାଇବାକୁ ଲାଗିଥିଲେ । ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା ।

ଏହି ଘଟଣା ପରେ ରାଜ୍ୟପାଳ ଆରିଫ୍‌ ଖାନ କହିଛନ୍ତି କି, ମୁଁ ଠିକ୍‌ ଅଛି । ତେବେ ଏହି ଘଟଣା ପରେ ରାଜ୍ୟପାଳ କାର୍ଯ୍ୟକ୍ରମ ଛାଡ଼ି ଯାଇ ନ ଥିଲେ । ସେ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ରହିଥିଲେ ଏବଂ ସମାପନ ସମାରୋହ ପରେ ହିଁ ଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେବା ପରେ ଦୀପ ପ୍ରଜ୍ଜ୍ୱଳନ କରିବା ସମୟରେ ଏହି ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like