ଓ୍ଵାୟନାଡ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ, ହସପିଟାଲରେ ଭର୍ତ୍ତି

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବୀଣା କାର ଯୋଗେ ଯାଉଥିବା ବେଳେ ମଲପ୍ପୁରମ ମଞ୍ଜରୀ ନିକଟରେ ତାଙ୍କ କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଆଘାତ ଲାଗିଛି । ତେଣୁ ତାଙ୍କୁମଞ୍ଜରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଭୂସ୍ଖଳନ ପ୍ରଭାବିତ ଜିଲ୍ଲା ଓ୍ଵାୟନାଡ ଗସ୍ତ କରୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଛି । ଓ୍ଵାୟନାଡ ଭୂସ୍ଖଳନରେ ମୃତକ ଏବଂ ଆହତଙ୍କ ପରିବାର ସହିତ ସାକ୍ଷାତ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।
Kerala: Health Minister Veena George’s vehicle was involved in an accident in Mancheri, Malappuram, due to a collision with a scooter. Both the injured bikers and the slightly injured minister were admitted to Mancheri Medical College Hospital. Veena George sustained an injury to… pic.twitter.com/xBWQZfLPRa
— IANS (@ians_india) July 31, 2024
ସୂଚନାଯୋଗ୍ୟ, କେରଳର ୱାୟନାଡରେ ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନର ମୃତ୍ୟୁସଂଖ୍ୟା ଏହା ମଧ୍ୟରେ ୧୪୬ରେ ପହଞ୍ଚିଛି । ସେହିପରି ଭାରତୀୟ ଯବାନ, ଏନଡିଆରଏଫ ଓ ଅନ୍ୟ ଅଧିକାରୀମାନେ ପାଖାପାଖି ୧ ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏବେ ବି ବିପଦ ଟଳିନଥିବା ବେଳେ ରେସକ୍ୟୁ ଅପରେସନ ଜାରି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ ଦିନିକିଆ ସରକାରୀ ଶୋକ ଘୋଷଣା କରିଛନ୍ତି । ଗତ ୬ ବର୍ଷରେ ଏହା ସବୁଠରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି ।
ଆଜି ଅତିପ୍ରବଳ ବର୍ଷା ପାଇଁ ୱାୟନାଡରେ ରେଡ୍ ଆଲର୍ଟ ଜାରି ହୋଇଛି । ପ୍ରାୟ ୫ଘଣ୍ଟାର ପ୍ରବଳ ବର୍ଷା ପରେ ସୋମବାର ମଧ୍ୟ ରାତିରେ ଧସିଥିଲା ପାହାଡ଼ । ପଛକୁ ପଛ ୩ଟି ମାଟି ଧସଡ଼ାରେ ଥରିଥିଲା ପଶ୍ଚିମଘାଟ ପର୍ବତମାଳାର ମେପାଡ଼ୀ ଅଞ୍ଚଳ । ବଡ଼ ବଡ଼ ପଥର, କାଦୁଅ ସହ ପ୍ରବଳ ବେଗରେ ମାଡ଼ି ଆସିଥିଲା ପାଣି । ପାହାଡ଼ ପାଦଦେଶରେ ଥିବା ମୁଣ୍ଡାକାଇ, ଚୁରାଲମାଲା, ଆଟ୍ଟାମାଲା ଓ ନୁଲପୁଝା ଗାଁ ଧୋଇ ଯାଇଥିଲା। ରାତିରେ ଶୋଇଥିବା ବେଳେ ବହୁ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ । ଘର, ଗାଡ଼ିମଟର ମାଟିରେ ମିଶିଯାଇଥିଲା ।
ଏହି ଘଟଣା ଓ୍ଵାୟନାଡ ଜିଲ୍ଲାର ମେପ୍ପଡୀ, ମୁଣ୍ଡକ୍କଇ ଟାଉନ ଏବଂ ଚରୁଲ ମାମଲା ଅଞ୍ଚଳରେ ହୋଇଛି । ଘଟଣାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ୨ ଲକ୍ଷ ଟଙ୍କା ଏବଂ ଆତହଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ରହିଛନ୍ତି । ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର MI 17 ଓ ALH ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।