ଦେଖନ୍ତୁ VIDEO: ଟ୍ରେନକୁ ଦେଖି ଟ୍ରାକ୍ ମଝିରେ ଶୋଇପଡ଼ିଲେ ବ୍ୟକ୍ତି, ଉପର ଦେଇ ଚାଲିଗଲା ଟ୍ରେନ୍… ବର୍ତ୍ତିଗଲା ଜୀବନ

କେରଳର କନ୍ନୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଚମତ୍କାର ଢଙ୍ଗରେ ଟ୍ରେନ୍ କବଳରୁ ନିଜକୁ ରକ୍ଷା କରିଛନ୍ତି । ଏହି ଭାଇରାଲ ଭିଡିଓରେ ଦେଖାଯାଉଛି କି, ବ୍ୟକ୍ତି ଜଣକ ଟ୍ରାକ୍ ମଝିରେ ଶୋଇଥିବା ବେଳେ ତାଙ୍କ ଉପର ଦେଇ ଟ୍ରେନ୍ ଯାଉଛି । ଆଉ ଟ୍ରେନ୍ ଯାଉଥିବା ବେଳେ ସେ ନିଜ ଶରୀର କି ମୁଣ୍ଡକୁ ଟିକିଏ ବି ହଲଚଲ୍ କରୁନାହାନ୍ତି । ସେହିଭଳି ଭାବରେ ସେ ଟ୍ରାକ୍ ମଝିରେ ଶୋଇ ରହିଛନ୍ତି । ଟ୍ରେନଟି ଯେତେବେଳେ ଚାଲିଯାଉଛି, ସେ ଆରାମରେ ଟ୍ରାକ୍ ଉପରୁ ଉଠୁଛନ୍ତି ।

ଏହି ଘଟଣାରେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି । ତାଙ୍କୁ କୌଣସି ବି ପ୍ରକାରର ଆଘାତ ଲାଗିନାହିଁ । ଘଟଣାଟି ସୋମବାର ଅପରାହ୍ନ ପ୍ରାୟ ୫ଟା ବେଳର ବୋଲି ଜଣାପଡ଼ିଛି । ମାଙ୍ଗାଲୋର୍-ତିରୁଅନନ୍ତପୁରମ୍ ଟ୍ରେନ୍ ଯେତେବେଳେ ସେହି ଅଞ୍ଚଳ ଦେଇ ଯାଉଥିଲା, ଘଟଣାଟି କନ୍ନୁର ଓ ଚିରକ୍କଲ ରେଳ ଷ୍ଟେସନ ମଝିରେ ଘଟିଥିଲା ।

ସୋସିଆଲ ମିଡିଆରେ ଭିଡିଓଟି ବ୍ୟାପକ ଭାବରେ ଭାଇରାଲ ହେବା ପରେ ରେଲୱେ ପୋଲିସ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ସେ ହେଲେ ୫୬ ବର୍ଷୀୟ ପବିତ୍ରନ, ଯିଏକି, ଏକ ସ୍କୁଲରେ ସଫେଇ କର୍ମୀ ଭାବେ କାମ କରନ୍ତି । ରେଲୱେ ପୋଲିସ ଅଧିକାରୀ ତାଙ୍କର ବୟାନ ରେକର୍ଡ କରିଥିବା ଜଣାଯାଇଛି ।

ପୋଲିସ ଅନୁସାରେ, ପବିତ୍ରନ କହିଛନ୍ତି କି, ସେ ନିଜ ଫୋନରେ କଥା ହେଉଥିଲେ । ଏହି ସମୟରେ ଟ୍ରେନ୍ ଆସିବା ବିଷୟରେ ତାଙ୍କୁ ଜଣା ନ ଥିଲା । ଯେତେବେଳେ ସେ ବିପଦରେ ଥିବା ଅନୁମାନ କରିଥିଲେ, ତ ତାଙ୍କ ପାଖରେ ଦୌଡ଼ି ପଳାଇଯିବାକୁ ସମୟ ନ ଥିଲା । ଗୋଟିଏ ମୁହୂର୍ତ୍ତରେ ହିଁ ସେ ନିଷ୍ପତ୍ତି ନେଇଥିଲେ ଏବଂ ଟ୍ରାକ୍ ଉପରେ ଲୋଟି ପଡ଼ିଥିଲେ । ଯାହାଫଳରେ ଏକ ବଡ଼ ଦୁର୍ଘଟଣାରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

ପବିତ୍ରନ୍ କହିଛନ୍ତି, ଏହି ଘଟଣାକୁ ନେଇ ସେ ସାମାନ୍ୟ ଡରିଯାଇଛନ୍ତି । ପୋଲିସ କହିଛି ଯେ ପବିତ୍ରନ୍ ଜଣେ ଗେଡ଼ା ମଣିଷ, ତେଣୁ ସେ ଏହି ଘଟଣାରୁ ସୁରକ୍ଷିତ ଭାବରେ ବର୍ତ୍ତି ଯାଇଛନ୍ତି ।