କାନାଡ଼ାରେ ହିନ୍ଦୁ ମନ୍ଦିରରେ ପଶି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କଲେ ଖଲିସ୍ତାନୀ, କଡ଼ା ନିନ୍ଦା କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ

କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି ଖଲିସ୍ତାନୀ ।  ମନ୍ଦିର ଭିତରେ ପଶି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଛନ୍ତି ଖଲିସ୍ତାନୀମାନେ । କାନାଡର ବ୍ରାମ୍ପଟନରେ ହିନ୍ଦୁ  ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ ଖାଲିସ୍ତାନୀମାନେ ଆକ୍ରମଣ କରିଛନ୍ତି । ଘଟଣାର ଏକ ଭିଡ଼ିଓ ହିନ୍ଦୁ ଫୋରମ କାନାଡ଼ାର X ସାଇଟରେ ସେୟାର କରିଛି ।

ଖାଲିସ୍ତାନୀ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ହଙ୍ଗାମା କରିବା ସହ  ଶ୍ରଦ୍ଧାଳୁଙ୍କୁ ଆକ୍ରମଣ  କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଏକ ଲାଠିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । କାନାଡ଼ାରେ ୨୦୨୨ ପରଠାରୁ ପାଖାପାଖି ୨୦ରୁ ଅଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରିଛନ୍ତି ।  ଘଟଣା ପଛରେ କାହାର ହାତ ରହିଛି ଏଯାଏଁ କିଛି ଜଣାପଡିନାହିଁ ।

ଏହି ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଓ ସାଂସଦ କଡ଼ା ନିନ୍ଦା କରିଛନ୍ତି । ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି, ‘ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ, କାନାଡାରେ ସମସ୍ତଙ୍କର ନିଜର ଧର୍ମ ପାଳନ କରିବାର ଅଧିକାର ରହିଛି ।’

ବ୍ରାମ୍ପଟନର ମେୟର ପ୍ୟାଟ୍ରିକ୍‌ ବ୍ରାଉପ ଏହି ପୂରା ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି, ପୂଜା ସ୍ଥାନ ବାହାରେ କୌଣସି ହିଂସା କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ ।

କିଛି ଦିନ ହେଲା ଭାରତ ଓ କାନାଡା ସଂପର୍କ ବିଗିଡିବାରେ ଲାଗିଛି ।  ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ଥିବା କାନାଡା ବିନା ପ୍ରମାଣରେ ଅଭିଯୋଗ କରୁଥିବାରୁ ନୂଆଦିଲ୍ଲୀ ଏହାକୁ ବିରୋଧ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆକ୍ଷେପ ଅଭିଯୋଗରେ ଶୁକ୍ରବାର କାନାଡାର କୂଟନୀତିଜ୍ଞଙ୍କୁ ସମନ କରିଛି ଭାରତ ।

You might also like