‘ପ୍ରୟାଗରାଜ ଚଲୋ’, ଖଲିସ୍ତାନୀ ଆତଙ୍କୀ ପନ୍ନୁ ମହାକୁମ୍ଭକୁ ଭଣ୍ଡୁର କରିବାକୁ ଦେଲେ ଧମକ

ଖଲିସ୍ତାନୀ ଆତଙ୍କବାଦୀ ତଥା ପ୍ରତିବନ୍ଧିତ ସଙ୍ଗଠନ ‘ଶିଖ୍ ଫର୍ ଜଷ୍ଟିସ୍ (SFJ)’ର ମୁଖ୍ୟ ଗୁରପତବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି । ଜାନୁୟାରୀ ୧୩ରୁ ଫେବୃୟାରୀ ୨୬ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭକୁ ବାଧିତ କରିବାକୁ ପନ୍ନୁ ନୂଆ ଧମକ ଦେଇଛନ୍ତି ।

ଏକ ଭିଡିଓରେ ପନ୍ନୁ ହିନ୍ଦୁତ୍ୱ ବିଚାରଧାରାକୁ ବିରୋଧ କରିବା ଏବଂ ଏହାକୁ ଶେଷ କରିବା ପାଇଁ ‘ପ୍ରୟାଗରାଜ ଚାଲ’ର ଆହ୍ୱାନ ଦେଇଛନ୍ତି । ସେ ନିଜ ସମର୍ଥକମାନଙ୍କୁ ଲକ୍ଷ୍ନୌ ଏବଂ ପ୍ରୟାଗରାଜର ଏୟାରପୋର୍ଟରେ ଖଲିସ୍ତାନୀ ଓ କାଶ୍ମୀରୀ ପତାକା ଉଡ଼ାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଭିଡିଓ ଶେଷରେ ସେ ଘୋଷଣା କରିଛନ୍ତି ଯେ ‘ମହାକୁମ୍ଭ ପ୍ରୟାଗରାଜ ୨୦୨୫ ଏକ ଯୁଦ୍ଧକ୍ଷେତ୍ର ପାଲଟିଯିବ’ ।

ଏହାରି ଭିତରେ ପନ୍ନୁ ମହାକୁମ୍ଭକୁ ଟାର୍ଗେଟ୍ କରି ଦ୍ଵିତୀୟ ଥର ଧମକ ଦେଇଛନ୍ତି । ଏହା ପୂର୍ବରୁ ସେ ଏକ ଭିଡିଓ ଜାରି କରିଥିଲେ । ସେ ପ୍ରମୁଖ ଧାର୍ମିକ ଆୟୋଜନ ମକର ସଂକ୍ରାନ୍ତି (ଜାନୁୟାରୀ ୧୪), ମୌନି ଅମାବାସ୍ୟା (ଜାନୁୟାରୀ ୨୯) ଏବଂ ବସନ୍ତ ପଞ୍ଚମୀ (ଫେବୃୟାରୀ ୩)କୁ ବାଧିତ କରିବାକୁ ଧମକ ଦେଇଥିଲେ ।