କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କୁ ଛାଡ଼ିବାକୁ ପଡ଼ିବ ରାଜଗାଦି! ୪୦୦ ବର୍ଷ ପୂର୍ବେ ନାଷ୍ଟ୍ରୋଦମସ୍‌ କରିଥିଲେ ଭବିଷ୍ୟବାଣୀ…

ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବ୍ରିଟେନର ନୂଆ ରାଜା ହୋଇଛନ୍ତି କିଙ୍ଗ୍‌ ଚାର୍ଲ୍ସ ତୃତୀୟ। ରାଣୀଙ୍କ ପରେ ସେ ସମ୍ଭାଳିଛନ୍ତି ରାଜଗାଦି। ହେଲେ ଇତି ମଧ୍ୟରେ ତାଙ୍କୁ ନେଇ କରାଯାଇଥିବା ଏକ ଭବିଷ୍ୟବାଣୀ ଚର୍ଚ୍ଚା ପରିସରକୁ ଆସିଛି। ବାସ୍ତବରେ, ଫ୍ରାନ୍ସର ଭବିଷ୍ୟବକ୍ତା ନାଷ୍ଟ୍ରୋଦମସ୍‌ କିଙ୍ଗ୍‌ ଚାର୍ଲ୍ସଙ୍କୁ ନେଇ ଏକ ଭବିଷ୍ୟବାଣୀ କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନାଷ୍ଟ୍ରୋଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, କିଙ୍ଗ୍‌ ଚାର୍ଲ୍ସ ବେଶି ଦିନ ତିଷ୍ଠି ପାରିବେ ନାହିଁ। ସେ ନିଜ ମୁକୁଟ ଛାଡ଼ିଦେବେ ଏବଂ ତାଙ୍କୁ ଅନ୍ୟ କୌଣସି ଦାୟିତ୍ୱ ମିଳିବ।

କହି ରଖୁଛୁ, ନାଷ୍ଟ୍ରୋଦମସ୍‌ଙ୍କ ଅନେକ ଭବିଷ୍ୟବାଣୀ ପୂର୍ବରୁ ସତ ହୋଇସାରିଛି। ସେ ୧୯୫୫ ମସିହାରେ ଏକ ଭବିଷ୍ୟବାଣୀ କରିଥିଲେ କି, ମହାରାଣୀ ଏଲିଜାବେଥ୍‌ଙ୍କର ୯୪ ବର୍ଷ ବୟସରେ ମୃତ୍ୟୁ ଘଟିବ। ୪୦୦ ବର୍ଷ ପରେ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ତେଣୁ ଏବେ କିଙ୍ଗ୍‌ ଚାର୍ଲ୍ସଙ୍କୁ ନେଇ ତାଙ୍କ ଭବିଷ୍ୟବାଣୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ନାଷ୍ଟ୍ରୋଦମସ୍‌ଙ୍କ ବିଷୟରେ ଜ୍ଞାନ ରଖିଥିବା ମାରିଓ ରିଡିଙ୍ଗ୍‌ ୨୦୦୫ ମସିହାରେ ଏକ ପୁସ୍ତକ ଲେଖିଥିଲେ। ଏଥିରେ ସେ ବିଭିନ୍ନ କଥା ଉଲ୍ଲେଖ କରିଥିଲେ। ଏହା ମୁତାବକ, କିଙ୍ଗ୍‌ ଚାର୍ଲ୍ସଙ୍କୁ ୭୪ ବର୍ଷ ବୟସରେ ବ୍ରିଟେନର ରାଜଗାଦି ମିଳିବ। ତା’ ଛଡ଼ା ନାଷ୍ଟ୍ରୋଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, କିଙ୍ଗ୍‌ ଚାର୍ଲ୍ସ ଗାଦି ସମ୍ଭାଳିବାର କିଛି ଦିନ ପରେ ହିଁ ଏହି ପଦରୁ ଇସ୍ତଫା ଦେଇଦେବେ।

ଏତିକି ନୁହେଁ, ଭବିଷ୍ୟବାଣୀରେ କୁହାଯାଇଛି ଯେ କିଙ୍ଗ୍‌ ଚାର୍ଲ୍ସଙ୍କଠାରୁ ବ୍ରିଟେନର ଜନତା ନିରାଶ ହେବେ। ଜନତା ତାଙ୍କୁ ବିରୋଧ କରିବେ। ପ୍ରିନ୍ସେଜ୍‌ ଡାଏନାଙ୍କଠୁ ଛାଡ଼ପତ୍ର, ତାଙ୍କ ବୟସ ଏବଂ ଏଭଳି ଅନେକ କାରଣକୁ ନେଇ ଜନତା ତାଙ୍କୁ ନେଇ ଅସନ୍ତୁଷ୍ଟ ରହିବେ। ଏହି ବିରୋଧ ଯୋଗୁ ଶେଷରେ କିଙ୍ଗ୍‌ ଚାର୍ଲ୍ସ ରାଜଗାଦି ଛାଡ଼ିବାକୁ ବାଧ୍ୟ ହେବେ। ନାଷ୍ଟ୍ରୋଦମସ୍‌ କହିଛନ୍ତି, ଚାର୍ଲ୍ସଙ୍କ ପରେ ବ୍ରିଟେନର ରାଜଗାଦି ଉପରେ ପ୍ରିନ୍ସ ଓ୍ଵିଲିୟମ୍‌ ନୁହଁନ୍ତି, ବରଂ ତାଙ୍କ ସାନପୁଅ ପ୍ରିନ୍ସ ହ୍ୟାରୀ ବସିବେ। ହ୍ୟାରୀ ୩୮ ବର୍ଷ ବୟସରେ ହିଁ ବ୍ରିଟେନର ନୂଆ ରାଜା ହୋଇଯିବେ।

ଅନ୍ୟ ପକ୍ଷରେ ଲୋଗାନ୍‌ ସ୍ମିଥ୍‌ ନାମକ ବ୍ୟକ୍ତି ନିଜ ଟ୍ଵିଟର ଆକାଉଣ୍ଟ (@logan_smith526)ରେ ଏକ ପୋଷ୍ଟ୍‍ କରିଥିଲେ। ଏଥିରେ ସେ ଭବିଷ୍ୟବାଣୀ କରିଥିଲେ କି, ବ୍ରିଟେନରେ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କରିଥିବା ମହାରାଣୀ କ୍ୱିନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିଧନ ସେପ୍ଟେମ୍ବର ୮, ୨୦୨୨ ମସିହାରେ ହେବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋଗାନ୍‌ ସ୍ମିଥ୍‌ଙ୍କର ଏହି ଭବିଷ୍ୟବାଣୀ ଏକଦମ୍‌ ସତ ପ୍ରମାଣିତ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଲୋଗାନ୍‌ ସ୍ମିଥ୍‌ ଯେଉଁ ଟ୍ଵିଟ୍‌ରେ ରାଣୀଙ୍କ ମୃତ୍ୟୁ ତାରିଖ କହିଥିଲେ, ସେହି ଟ୍ଵିଟ୍‌କୁ ଅପ୍‌ଡେଟ କରି ସେ ବ୍ରିଟେନର ନୂଆ ରାଜା ଚାର୍ଲ୍ସଙ୍କ ମୃତ୍ୟୁକୁ ନେଇ ମଧ୍ୟ ଦାବି ରଖିଛନ୍ତି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ କିଙ୍ଗ୍‌ ଚାର୍ଲ୍ସଙ୍କ ମୃତ୍ୟୁ ମାର୍ଚ୍ଚ ୨୮, ୨୦୧୬ରେ ହେବ। କହି ରଖୁଛୁ, ନାଷ୍ଟ୍ରୋଦମସ୍‌ଙ୍କ ମୃତ୍ୟୁ ଆଜକୁ ପାଖାପାଖି ୪୫୦ ବର୍ଷ ପୂର୍ବେ ହୋଇଥିଲା। ସେ ନିଜ ଜୀବନରେ ୬,୩୩୮ ଭବିଷ୍ୟବାଣୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.