‘ଅହିରାଜ’ର ବଡ଼ ରହସ୍ୟ ଉପରୁ ଉଠିଲା ପରଦା, ତୁଟିଲା ୧୮୮ ବର୍ଷ ପୁରୁଣା ଭ୍ରମ !

୧୮୩୬ ମସିହାରେ ଡାନିସ୍ ଜୁଲୋଜିଷ୍ଟ୍ ଥିଓଡୋର ଆଡଭର୍ଡ କାଣ୍ଟର ‘ଅହିରାଜ’ ବା ‘କିଙ୍ଗ୍ କୋବ୍ରା’କୁ ଏକକ ପ୍ରଜାତି ରୂପେ ବର୍ଗୀକୃତ କରିଥିଲେ । କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ୧୨ ବର୍ଷର ଗବେଷଣା ପରେ ଅହିରାଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ଯେ କିଙ୍ଗ୍ କ୍ରୋବା ଗୋଟିଏ ନୁହେଁ, ବରଂ ଏହାର ଚାରୋଟି ଅଲଗା ଅଲଗା ପ୍ରଜାତି ରହିଛି । ବିଷାକ୍ତ ସାପ ଅହିରାଜକୁ ଭାରତୀୟ ବୈଜ୍ଞାନିକମାନେ ୪ଟି ପ୍ରଜାତିରେ ବିଭକ୍ତ କରିଛନ୍ତି ।

କର୍ଣ୍ଣାଟକର କଳିଙ୍ଗ ସେଣ୍ଟର ଫର୍ ରେନଫରେଷ୍ଟ୍ ଇକୋଲୋଜି (Agumbe)ରେ ଏହି ଐତିହାସିକ ଗବେଷଣା କରାଯାଇଛି । ଡା. ପି. ଗୌରୀଶଙ୍କର ଏବଂ ତାଙ୍କ ଟିମ୍ ଏଠାରେ ୨୦ ବର୍ଷର କଠିନ ପରିଶ୍ରମ ପରେ କିଙ୍ଗ୍ କୋବ୍ରାର ଅସଲି ପରିଚୟ ସାମ୍ନାକୁ ଆଣିଛନ୍ତି । ଅହିରାଜର ୪ ପ୍ରଜାତି ହେଉଛି, ଉତ୍ତର କିଙ୍ଗ୍ କୋବ୍ରା, ସୁଣ୍ଡା କିଙ୍ଗ୍ କୋବ୍ରା, ପଶ୍ଚିମ ଘାଟ କିଙ୍ଗ୍ କୋବ୍ରା ଏବଂ ଲୁଜୋନ କିଙ୍ଗ୍ କୋବ୍ରା ।

୧. ଉତ୍ତର କିଙ୍ଗ୍ କୋବ୍ରା: ଏହି ପ୍ରଜାତି ଉତ୍ତର ଭାରତ, ପୂର୍ବ ପାକିସ୍ତାନ ଏବଂ ଥାଇଲାଣ୍ଡରେ ମିଳନ୍ତି । ଏମାନଙ୍କ ଶରୀର ଉପରେ ୫ରୁ ୭୦ ମଧ୍ୟରେ ପଟି ରହିଥାଏ ।

୨. ସୁଣ୍ଡା କିଙ୍ଗ୍ କୋବ୍ରା: ଏହି ପ୍ରଜାତିର ଅହିରାଜ ଇଣ୍ଡୋନେସିଆରେ ବହୁଳ ମାତ୍ରାରେ ଦେଖାଯାଆନ୍ତି । ଏହି ସାପ ଉପରେ ୭୦ରୁ ଅଧିକ ପଟି ରହିଥାଏ ।

୩. ପଶ୍ଚିମ ଘାଟ କିଙ୍ଗ୍ କୋବ୍ରା: ଏମାନେ ଭାରତର ପଶ୍ଚିମ ଘାଟରେ ଦେଖିବାକୁ ମିଳନ୍ତି । ଏମାନଙ୍କ ଶରୀରରେ ସବୁଠାରୁ କମ୍ ପଟି ଥାଏ ।

୪. ଲୁଜୋନ କିଙ୍ଗ୍ କୋବ୍ରା: ଏହି ପ୍ରଜାତିର ସାପ ଦକ୍ଷିଣ ଫିଲିପାଇନ୍ସରେ ମିଳନ୍ତି । ଏହି ସାପ ଦେହରେ ଆଦୌ ପଟି ନ ଥାଏ ଅର୍ଥାତ୍ ଏମାନେ ହେଉଛନ୍ତି ବିନା ପଟିର ଅହିରାଜ ।

ବୈଜ୍ଞାନିକମାନେ ସାପର ରଙ୍ଗ, ଲମ୍ୱ ଏବଂ ପଟି ଉପରେ ଅଧ୍ୟୟନ କରିଥିଲେ । ହିମାଚଳ, ଇଣ୍ଡୋନେସିଆ, ଫିଲିପାଇନ୍ସ ଭଳି ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଇଥିଲା । ଡିଏନଏ ଟେଷ୍ଟ ଏବଂ ଶରୀରର ଗଢ଼ଣ ଉପରେ ସ୍ୱତନ୍ତ୍ର ବିଶ୍ଳେଷଣ କରାଯାଇଥିଲା ।

You might also like