ବ୍ୟାଙ୍କ ନଥିଲେ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବେ କେମିତି ? ଜାଣିନିଅନ୍ତୁ ସବିଶେଷ

ସେପ୍ଟେମ୍ବର ୩୦ ପରେ ୨ ହଜାର ଟଙ୍କିଆ ନୋଟ୍‌ ଚଳିବ ନା ନାହିଁ ଦ୍ୱନ୍ଦ୍ୱ। RBI ନିଷ୍ପତ୍ତିକୁ ନେଇ ରାଜନୈତିକ ଝଡ଼ ଆରମ୍ଭ। ବ୍ୟାଙ୍କ ନଥିଲେ ବ୍ୟାଙ୍କ କରେସପଣ୍ଡେଣ୍ଟଙ୍କ ମାଧ୍ୟମରେ ବଦଳାଇପାରିବେ। ସର୍ବାଧିକ ୪ହଜାର ଟଙ୍କା ଯାଏ ଏକ୍‌ଚେଞ୍ଜ। 

କେନ୍ୟୁଜ୍(ବ୍ୟୁରୋ): ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ବଢିଲା ଦ୍ୱନ୍ଦ୍ୱ। ସେପ୍ଟେମ୍ବର ୩୦ ପରେ କ’ଣ ହେବ? ୨ ହଜାର ଟଙ୍କିଆ ନୋଟର ପ୍ରଚଳନ ବୈଧ ରହିବ ନା ନାହିଁ ? ଏହାକୁ ନେଇ ନାନା ମୁନିଙ୍କ ନାନା ମତ । ଗୋଲାପୀ ନୋଟ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି, ସେପ୍ଟେମ୍ବର ୩୦ ପରେ କଣ ହେବ? ଏନେଇ ଆରବିଆଇ ଫ୍ରିକ୍ୱେଣ୍ଟ ଆକ୍‌ସଡ କ୍ୱୋଶ୍ଚିନରେ ବୈଧ ରହିବ ବୋଲି ସ୍ପଷ୍ଟ କରିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ବିଜ୍‌ନେସ ଟୁଡେ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୩୦ ପରେ ୨ହଜାର ଟଙ୍କିଆ ନୋଟର ବୈଧତା ନେଇ ଆର୍‌ବିଆଇ ସ୍ପଷ୍ଟ କରିନାହିଁ। କିନ୍ତୁ ହିନ୍ଦୁସ୍ତାନ ଟାଇମ୍‌ସ ଅନୁସାରେ ଏହା ବୈଧ ରହିବ। ତେବେ କେଉଁଠି ଏହାକୁ ବ୍ୟବହାର କରିବେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢିଛି।

ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଓ ବିଭିନ୍ନ ବ୍ୟାଙ୍କ ଶାଖାରେ ଲୋକମାନେ ସେପ୍ଟେମ୍ବର ୩୦ ମଧ୍ୟରେ ୨ହଜାର ଟଙ୍କିଆ ନୋଟ ଜମା କରିପାରିବେ। ଥରକରେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇପାରିବେ କିମ୍ବା ଜମା କରିପାରିବେ। ସହରାଞ୍ଚଳରେ ବ୍ୟାଙ୍କ ସଂଖ୍ୟା ଅଧିକ ଥିବାରୁ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହୋଇନପାରନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ବ୍ୟାଙ୍କର ସଂଖ୍ୟା ବହୁ କମ୍‌। ଓଡ଼ିଶାର ୫୮ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ନାହିଁ। ଓଡ଼ିଶାରେ ୬ହଜାର ୭୯୮ ପଞ୍ଚାୟତ ମଧ୍ୟରୁ କେବଳ ୪୨ ପ୍ରତିଶତ ପଞ୍ଚାୟତର ବ୍ୟାଙ୍କରେ ଅନ୍‌ଲାଇନ ବ୍ୟାଙ୍କିଂ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଟଙ୍କା ଜମା କରିହେବ। ଅନ୍ୟ ୫୮ପ୍ରତିଶତ ଅର୍ଥାତ ୩ହଜାର ୯୫୪ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ ।

ଯେଉଁଠି ବ୍ୟାଙ୍କ ନାହିଁ, ସେଠାରେ ବ୍ୟାଙ୍କ କରେସ୍‌ପଣ୍ଡେଣ୍ଟମାନଙ୍କ ସହାୟତାରେ ନୋଟକୁ ବଦଳାଇ ହେବ। ତେବେ ସର୍ବାଧିକ ୪ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ପରିମାଣ ରହିଛି। ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବ୍ୟାଙ୍କ ନଥିବା ଗ୍ରାମାଞ୍ଚଳରେ ମୋବାଇଲ ଭ୍ୟାନ ଜରିଆରେ ମଧ୍ୟ ନୋଟ ବଦଳାଇ ହେବ ବୋଲି ଆରବିଆଇ ସ୍ପଷ୍ଟ କରିଛି। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରି ୫ଶହ ଓ ହଜାର ଟଙ୍କିଆ ନୋଟ ଅଚଳ କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାପରେ ନୂଆ ୨ ହଜାର ଟଙ୍କିଆ ପ୍ରଚଳନ ହୋଇଥିଲା । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ବଜାରକୁ ଛଡ଼ାଯାଇଥିଲା। କିନ୍ତୁ ୨୦୧୮ ପରଠାରୁ ୨ହଜାର ଟଙ୍କିଆ ନୋଟର ମୁଦ୍ରଣ ବନ୍ଦ କରିଥିବା କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।

Leave A Reply

Your email address will not be published.