ଇନ୍ଦିରା, ସୋନିଆଙ୍କର ବି ଯାଇଥିଲା ସଂସଦ ସଭ୍ୟପଦ, ଜାଣନ୍ତୁ ଆଗକୁ କ’ଣ ରହିଛି ରାହୁଲଙ୍କ ପାଇଁ ଆଇନର ରାସ୍ତା

ରାହୁଲ ଗାନ୍ଧୀଙ୍କର ସଂସଦରୁ ସଭ୍ୟପଦ ଯିବାର ଏହା ଗାନ୍ଧୀ ପରିବାରରେ ପ୍ରଥମ ମାମଲା ନୁହେଁ। ପୂର୍ବରୁ ମା’ ସୋନିଆ ଓ ଜେଜେମା’ ଇନ୍ଦିରାଙ୍କର ବି ଯାଇସାରିଛି ସଂସଦରୁ ସଦସ୍ୟ ପଦ।

ସୁରଟ କୋର୍ଟଙ୍କଠାରୁ ୨ ବର୍ଷର ଦଣ୍ଡାଦେଶ ପାଇବା ପରେ ଆଜି ରାହୁଲ ଗାନ୍ଧୀଙ୍କର ଲୋକସଭାରୁ ସଦସ୍ୟତା ଶେଷ ହୋଇଛି। ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ଯିବାର ଏହା ଗାନ୍ଧୀ ପରିବାରରେ ପ୍ରଥମ ମାମଲା ନୁହେଁ। ପୂର୍ବରୁ ମା’ ସୋନିଆ ଓ ଜେଜେମା’ ଇନ୍ଦିରାଙ୍କର ବି ଯାଇସାରିଛି ସଂସଦରୁ ସଦସ୍ୟ ପଦ।

୨୦୦୬ରେ ସୋନିଆ ଗାନ୍ଧୀଙ୍କୁ ଦେବାକୁ ପଡ଼ିଥିଲା ଇସ୍ତଫା

‘ଲାଭର ପଦ’ରେ ରହିବା କାରଣରୁ ସୋନିଆ ଗାନ୍ଧୀଙ୍କୁ ୨୦୦୬ରେ ସଂସଦ ସଭ୍ୟପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଯଦିଓ ଏହାପରେ ସୋନିଆ ରାଜନୀତିକ ରୂପେ ଅଧିକ ମଜଭୁତ ହୋଇଥିଲେ। ବର୍ଷ ୨୦୦୬ରେ ସୋନିଆ ଗାନ୍ଧୀ ରାୟବରେଲିରୁ ସାଂସଦ ଥିଲେ। ୟୁପିଏ ସରକାରଙ୍କ ସମୟରେ ସେ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ଥିଲେ, ଯାହାକୁ ‘ଲାଭର ପଦ’ ବୋଲି କୁହାଯାଇଥିଲା।

ଇନ୍ଦିରାଙ୍କର ବି ଯାଇଥିଲା ସଦସ୍ୟତା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କର ମଧ୍ୟ ଲୋକସଭାରୁ ସଦସ୍ୟତା ରଦ୍ଦ ହୋଇଯାଇଥିଲା। ହେଲେ ଇନ୍ଦିରାଙ୍କ ପାଇଁ ଏହା ସଞ୍ଜିବନୀ ସାଜିଥିଲା ଏବଂ ସେ ୧୯୮୦ରେ ଦେଶର ଶାସନ ଗାଦିରେ ବସିଥିଲେ।

୧୯୮୦ ନଭେମ୍ବର ୧୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜୀ ଦେସାଇ ଇନ୍ଦିରାଙ୍କ ବିରୋଧରେ ଆଣିଥିଲେ ଏକ ପ୍ରସ୍ତାବ, ଯେଉଁଥିରେ କୁହାଯାଇଥିଲା, ଇନ୍ଦିରା ଗାନ୍ଧୀ ନିଜ କାର୍ଯ୍ୟକାଳରେ ପଦର ଅପବ୍ୟବହାର କରିଛନ୍ତି ଏବଂ ସରକାରୀ ଅଧିକାରୀମାନଙ୍କୁ ଅପମାନ କରିଛନ୍ତି।

ପ୍ରସ୍ତାବ ପରେ ବିଶେଷ ଅଧିକାରୀ କମିଟି ଗଠନ ହୋଇଥିଲା। ଏହି କମିଟି ଇନ୍ଦିରାଙ୍କ ଉପରେ ଲାଗିଥିବା ଅଭିଯୋଗ ସତ ବୋଲି ଜାଣିବାକୁ ପାଇଥିଲା ଏବଂ ତାଙ୍କୁ ସଂସଦର ସଦସ୍ୟ ପଦରୁ ନିଷ୍କାସିତ କରିଦେଇଥିଲା।

ଆଉ ଏବେ ‘ମୋଦି ସର୍‌ନେମ’ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ସଂସଦ ସଭ୍ୟ ପଦ ରଦ୍ଦ ହୋଇଛି। ଜନପ୍ରତିନିଧି ଆଇନ ୧୯୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ତାଙ୍କୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ଦଣ୍ଡାଦେଶ ହୁଏ, ତେବେ ସେ ସଦସ୍ୟ ପଦ ହରାଇବେ। ଏଥିସହ ଜେଲ୍ରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ। ଆସନ୍ତୁ ଜାଣିବା ରାହୁଲଙ୍କ ପାଇଁ ଆଗକୁ କ’ଣ ରହିଛି ଆଇନର ରାସ୍ତା।

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହୋଇଛି। କିନ୍ତୁ ନିଜର ସଭ୍ୟପଦକୁ ବଜାୟ ରଖିବାର ସମସ୍ତ ରାସ୍ତା ତାଙ୍କ ପାଇଁ ବନ୍ଦ ହୋଇନାହିଁ। ଦଣ୍ଡକୁ ଚ୍ୟାଲେଞ୍ଜ କରିବାକୁ ରାହୁଲଙ୍କୁ ୩୦ ଦିନ ସମୟ ଦିଆଯାଇଛି। ଏହି ଦିନଗୁଡ଼ିକ ମଧ୍ୟରେ ସେ ଦଣ୍ଡରୁ ମୁକ୍ତି ପାଇଁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ଯଦି ଏଠାରେ ସୁରଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତି ଉପରେ ଷ୍ଟେ ଲାଗେ, ତେବେ ସଦସ୍ୟତା ରକ୍ଷା କରାଯାଇପାରିବ।

ଯଦି ହାଇକୋର୍ଟ ଷ୍ଟେ ଦେଉ ନାହାନ୍ତି, ତା’ ହେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ। ଏମିତିରେ ଯଦି ସୁପ୍ରିମକୋର୍ଟ ଷ୍ଟେ ଅର୍ଡର ଦିଅନ୍ତି, ତା’ ହେଲେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରକ୍ଷା ହୋଇପାରିବ। ଯଦିଓ ଆଇନ ବିଶେଷଜ୍ଞମାନେ ଏହି ଆଶା ଖୁବ୍‌ କମ୍‌ ବୋଲି କହୁଛନ୍ତି। କାରଣ, ରାହୁଲଙ୍କ ମାମଲାରେ ଦୋଷ ପ୍ରମାଣିତ ହୋଇଛି। ଯଦି ଉପରିସ୍ଥ କୋର୍ଟଙ୍କଠାରୁ ତାଙ୍କୁ ମୁକ୍ତି ନ ମିଳିଛି, ତା’ ହେଲେ ରାହୁଲ ଗାନ୍ଧୀ ୮ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ।

Leave A Reply

Your email address will not be published.