ବିପଦ ଥିବା ଜାଣି ଉଡାଉ ଥିଲେ ବିମାନ, ଛାତରେ ଖସି ୮ ମୃତ

ନୂଆଦିଲ୍ଲୀ : ସୋମବାର କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡିଥିବାର ଜଣାପଡିଛି। ଫଳରେ ସେଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କଲମ୍ବିଆର ଦ୍ୱିତୀୟ ବୃହତ୍ତମ ସହର ମେଡେଲିନରେ ଏହି ବିମାନ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ବିମାନଟି ଓଲାୟା ହେରେରା ବିମାନବନ୍ଦରରୁ ଉଡାଣ ଭରିଥିଲା। ଦୁର୍ଘଟଣା ପୂର୍ବରୁ ଇଞ୍ଜିନ ଫେଲ ବିଷୟରେ ପାଇଲଟ ନିକଟସ୍ଥ ଏଟିସିକୁ ସୂଚନା ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ମୃତକଙ୍କ ମଧ୍ୟରେ ୬ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଥିବାର କୁହାଯାଉଛି ।
ମେୟର ଡାନିଏଲ କ୍ୱିଣ୍ଟୋଙ୍କ ଅନୁଯାୟୀ, ବେଲେନ ରୋଜାଲେସ ସେକ୍ଟରରେ ଏହି ଦୁର୍ଘଟଣା ଘଟିଛି। ଏହା ମେଡେଲିନ୍ ରୁ ପିଜାରୋକୁ ଉଡ଼ୁଥିବା ଏକ ଦୁଇଟି ଇଂଜିନ ଥିବା ପାଇପର ବିମାନ ଥିଲା। ପୂର୍ବରୁ ବିମାନରେ ବିପଦ ଥିବା ଜଣାଥିଲେ ମଧ୍ୟ ସେତେବେଳକୁ ବହୁ ଡେରି ହୋଇସାରିଥିଲା ଓ ଏହା ଉଡାଣ ଭରିସାରିଥିଲା ।
Se ha presentado el accidente de una avioneta en el sector de Belen Rosales. Todas las capacidades de la administración se han activado para socorrer a las Victimas. pic.twitter.com/Vj5qaJBc8T
— Daniel Quintero Calle (@QuinteroCalle) November 21, 2022
ରିପୋର୍ଟ ଅନୁସାରେ, ବିମାନଟି ଯେଉଁ ଘର ଉପରେ ପଡ଼ିଥିଲା ତାହା କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କୌଣସି ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିନାହିଁ। ଘରର ଉପର ମହଲାର କିଛି ଅଂଶ ନଷ୍ଟ ହୋଇଯାଇଛି। ଘରର ଟାଇଲ ଏବଂ ଇଟାର କାନ୍ଥଗୁଡ଼ିକ ଭୁଶୁଡି ପଡିଥିବାର ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।
ମେଡେଲିନ୍ ସହରକୁ ଏଣ୍ଡିଜ ପର୍ବତ ଦ୍ୱାରା ଘେରି ରହିଛି। ଏହାପୂର୍ବରୁ ୨୦୧୬ ରେ ବ୍ରାଜିଲର ଚାପେକୋନ୍ସ ଫୁଟବଲ ଦଳ ନେଇ ଏକ ବିମାନ ଯାଉଥିବା ବେଳେ ସହର ନିକଟ ପାହାଡ଼ରେ ଖସିପଡିଥିଲା। ଏଥିରେ ୭୭ ଜଣଙ୍କ ମଧ୍ୟରୁ ୭୧ ଜଣଙ୍କର ମୃତ୍ୟୁ ଘଟିଥିଲା, ମୃତକଙ୍କ ମଧ୍ୟରେ ୧୬ ଜଣ ଖେଳାଳି ଥିଲେ ।