ପଶ୍ଚିମବଙ୍ଗ ନିର୍ବାଚନ: ଘରୋଇ ସହାୟିକାଙ୍କୁ ବିଜେପିରୁ ଟିକେଟ, ପ୍ରଚାର ପାଇଁ ନେଲେ ମାସେ ଛୁଟି, ଜାଣନ୍ତୁ ତାଙ୍କ ବିଷୟରେ
ବିଧାନସଭା ନିର୍ବାଚନକୁ ନଜରରେ ରଖି ପଶ୍ଚିମବଙ୍ଗରେ ସବୁ ରାଜନୈତିକ ଦଳ ନିଜ ନିଜର ଦମ୍ ଦେଖାଇବା ପାଇଁ ମଇଦାନକୁ ଓହ୍ଲାଇ ସାରିଛନ୍ତି। ଏମିତିରେ ଯେଉଁଠି ଅନେକ ଧନବାନ ଲୋକ ନିର୍ବାଚନ ରଣରେ ସାମିଲ ହୋଇଛନ୍ତି, ସେଠି ବିଜେପି ଜଣେ ଘରୋଇ ସହାୟିକା କଲିତା ମାଞ୍ଝି ଏବଂ ଜଣେ ମନରେଗା ଶ୍ରମିକ ଚନ୍ଦନା ବୋରୀଙ୍କୁ ଟିକେଟ ଦେଇ ସମୀକରଣ ବଦଳାଇ ଦେଇଛି। ଗୋଟିଏ ପଟେ ନେତାମାନଙ୍କର ବଡ଼ ବଡ଼ ବୟାନ ସାମ୍ନାକୁ ଆସୁଥିବା ବେଳେ ଅନ୍ୟପଟେ ସମସ୍ତଙ୍କ ନଜର ଦଳର ଏହି ଦୁଇ ପ୍ରାର୍ଥୀଙ୍କ ଉପରେ ବି ରହିଛି।
କଲିତା ମାଞ୍ଝିଙ୍କ କଥା ଉଠିଲେ ସେ ୫ ବର୍ଷ ହେବ ରାଜନୀତିରେ ଆକ୍ଟିଭ ଅଛନ୍ତି। କିନ୍ତୁ ଏବେ ତାଙ୍କୁ ବିଜେପିରୁ ଟିକେଟ ମିଳିବା ପରେ ତାଙ୍କ ଜୀବନ ବେଶ୍ ବଦଳି ଯାଇଛି। କଲିତାଙ୍କୁ ବିଜେପି ପୂର୍ବ ବର୍ଦ୍ଦମାନ ଜିଲାର ଔସଗ୍ରାମ ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଛି। କଲିତା ୪ ଜଣଙ୍କ ଘରେ ସହାୟିକା ଭାବେ କାମ କରୁଥିବା ବେଳେ ମାସକୁ ୨,୫୦୦ ଟଙ୍କା କରି ରୋଜଗାର କରୁଛନ୍ତି। କିନ୍ତୁ ଟିକେଟ ମିଳିବା ପରେ ଏବେ ସେ କାମରୁ ଗୋଟିଏ ମାସ ପାଇଁ ଛୁଟି ନେଇଛନ୍ତି। ପ୍ରଚାର ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କଲିତା ମାସକର ବିରତି ନେଇଛନ୍ତି। କଲିତାଙ୍କ ସ୍ୱାମୀ ସୁବ୍ରତୋ ମାଞ୍ଝି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି ଏବଂ ପୁଅ ୮ମ ଶ୍ରେଣୀରେ ପାଠ ପଢ଼ୁଛି। ଗୁସକଡ଼ା ନଗରପାଳିକାର ଓ୍ଵାର୍ଡ ନମ୍ବର ୩ରେ ସେମାନଙ୍କର ଏକ ଛୋଟିଆ ଝୁମ୍ପୁଡ଼ି ରହିଛି।
କଲିତା କହିଛନ୍ତି, ମୁଁ କେବେ ବି ଭାବି ନ ଥିଲି କି, ମୋତେ ଏହି ଅବସର ମିଳିବ। ଏବେ ମୁଁ ନିର୍ବାଚନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ମୋତେ ଟିକେଟ ଦେବା ସହିତ ବିଜୟୀ ହେବାର ଆଶୀର୍ବାଦ ବି ପ୍ରଦାନ କରାଯାଇଛି। ମୁଁ ପୂରା ଚେଷ୍ଟା କରିବି କି, ଯେପରି ଅଞ୍ଚଳର ସବୁ ଜନତାଙ୍କୁ ଭେଟି ନିଜ ପାଇଁ ଭୋଟ ମାଗିପାରିବି।
ଏକ ହସ୍ପିଟାଲ ନିର୍ମାଣ କରାଇବା ଉପରେ ରହିବ ଫୋକସ୍
କଲିତାଙ୍କ କହିବା ହେଲା, ଘରୋଇ ସହାୟିକା ହେବା ଦ୍ୱାରା ତାଙ୍କୁ ସାଧାରଣ ଲୋକଙ୍କ କଥା ଏବଂ ଗରିବ ପରିବାରର ଦୁର୍ଦ୍ଦଶାକୁ ବୁଝିବାରେ ସହାୟତା ମିଳିପାରିଛି। ଯଦି ସେ ଜିତନ୍ତି, ତ ତାଙ୍କ ପରିବାର ଏବଂ ପଡ଼ୋଶୀମାନଙ୍କର ଆଶା ରହିଛି କି, ସେ ସାଧାରଣ ଜନମାନସର ପ୍ରସଙ୍ଗ ଉପରେ କାମ କରି ବିକାଶର ମୂଳଦୁଆ ପକାଇବେ। କଲିତା କହିଥିଲେ ଯେ ଗାଁ ଲୋକଙ୍କ ସୁବିଧା ପାଇଁ ତାଙ୍କୁ ପ୍ରଥମେ ଏକ ହସ୍ପିଟାଲ ନିର୍ମାଣ ଉପରେ ଫୋକସ୍ କରିବାକୁ ହେବ। କାରଣ, ଲୋକେ ଏବେ ଚିକିତ୍ସା ଲାଗି ବର୍ଦ୍ଦମାନ ସହର ଯାଉଛନ୍ତି। ହସ୍ପିଟାଲଟିଏ ନିର୍ମାଣ ହେଲେ ଲୋକଙ୍କୁ ଆଉ ଏତେ ବାଟ ଯିବାକୁ ପଡ଼ିବ ନାହିଁ। ଏହାଛଡ଼ା ଭିତ୍ତି ସଂରଚନାର ବିକାଶ ଏବଂ ରୋଜଗାରର ଅବସର ଭଳି ପ୍ରସଙ୍ଗ ବି ତାଙ୍କ ତାଲିକାରେ ସାମିଲ ଅଛି।
ସମ୍ପର୍କୀୟ ଜଣାଇଲେ ଶୁଭକାମନା
କଲିତାଙ୍କ ପରିବାର ଲୋକ କହିଛନ୍ତି, ଆମେ ସମସ୍ତେ ବହୁତ ଖୁସି ଅଛୁ କି, ଦଳ ତାଙ୍କୁ ଏହି ସୁଯୋଗ ଦେଇଛି। କଲିତାଙ୍କୁ ଏତିକି କହିବୁ ଯେ ସେ ଭଲ ପ୍ରଦର୍ଶନ କରନ୍ତୁ ଏବଂ ନିର୍ବାଚନ ଜିତନ୍ତୁ।