ବାଂଲାଦେଶରେ ଲଗାତର ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ବାଂଲାଦେଶରେ ହିନ୍ଦୁ ଏବଂ ଜାତୀୟ ପତକାର ଅସମ୍ମାନ, ମନ୍ଦିରରେ ଆକ୍ରମଣ କରାଯାଉଛି । ଏହାରି ଭିତରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଡାକ୍ତରମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୌଣସି ବି ବାଂଲାଦେଶୀ ରୋଗୀଙ୍କ ଚିକିତ୍ସା କରିବାକୁ ଡାକ୍ତର ମନା କରି ଦେଇଛନ୍ତି ।
କୋଲକାତାର ମାଣିକତଲାରେ ଅବସ୍ଥିତ ଜେଏନରେ ହସ୍ପିଟାଲର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ଏହି ପଦକ୍ଷେପ ନିଆଯାଇଛି । ଶୁକ୍ରବାର ଦିନ ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଭାରତୀୟ ପତକା ଅପମାନିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଡାକ୍ତରଖାନାର ଅଧିକାରୀ ସୁଭ୍ରାଂଶୁ ଭକ୍ତ ଏହା କହିଛନ୍ତି ।
ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ କୌଣସି ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବୁ ନାହିଁ । ଭାରତ ବାଂଲାଦେଶୀଙ୍କ ସ୍ବାଧୀନତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହା ସତ୍ତ୍ବେ ମଧ୍ୟ ସେମାନେ ଭାରତ ବିରୋଧୀ ଭାବନା ପ୍ରଦର୍ଶିତ କରୁଛନ୍ତି । ଆମେ ଆଶା କରୁଛୁ କି, ହସପିଟାଲ ଆମର ସମର୍ଥନ କରିବ । ତେବେ ହସ୍ପିଟାଲର ଏଭଳି ନିଷ୍ପତ୍ତି ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ଜଟିଳତା ଆହୁରି ବଢ଼ିପାରେ ବୋଲି ଅଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି । ଚଟଗାଁରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବଂ ହିଂସା ମଧ୍ୟରେ ନାରା ଦେଉଥିବା ଭିଡ଼ ୩ଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିଲେ । ସନ୍ତନେଶ୍ବର ମନ୍ଦିର, ଶନି ମନ୍ଦିର, ଶାନ୍ତନେଶ୍ବରୀ କାଲୀବାଡି ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ।