କୋଲକତା ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୁନିଅର ଡାକ୍ତରମାନେ ଏବେ ଆମରଣ ଅନଶନରେ ବସିଛନ୍ତି । ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କୁ ଦାବି ପୂରଣ କରିନାହାଁନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଧର୍ମତାଲା ଡୋରିନା କ୍ରସିଂରେ ଧାରଣ ଆରମ୍ଭ କରିଛନ୍ତି ଜୁନିଅର ଡାକ୍ତର ।
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ପାଇଁ ୨୪ ଘଣ୍ଟାର ସମୟସୀମା ନିର୍ଦ୍ଧାରିତ କରିଥିଲେ । ହେଲେ ସରକାର ସମୟସୀମା ମଧ୍ୟରେ ଦାବି ପୂରଣ କରିନଥିବାରୁ ଆମରଣ ଅନଶନରେ ବସିବା ନେଇ ଜୁନିଅର ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି । ସ୍ୱଚ୍ଛତା ବଜାୟ ରଖିବାକୁ ମଞ୍ଚରେ CCTV କ୍ୟାମରୋ ଲଗାଯାଇଛି ।
ଆମରଣ ଅନଶନରେ ବସିଥିବା ଜଣେ ଜୁନିଅର ଡାକ୍ତର କହିଛନ୍ତି, ‘ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ଆମର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଆରମ୍ଭ କରୁଛୁ । ପ୍ରତିଶ୍ରୁତି ଅନୁଯାୟୀ ଆମେ କାମକୁ ଫେରିବୁ, କିନ୍ତୁ କିଛି ଖାଇବୁ ନାହିଁ ।’
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ ତାରିଖରେ ଜୁନିଅର ଡାକ୍ତର ଓ ମମତା ସରକାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏଥିରେ ଜୁନିଅର ଡାକ୍ତରଙ୍କ ସମସ୍ତ ଦାବିକୁ ମାନିନେଲେ ସରକାର । ଏହାର କିଛି ଦିନ ପରେ ଡାକ୍ତରମାନେ ବିରୋଧ ବନ୍ଦ କରିଥିଲେ । ତେବେ ଆଉ ଦୁଇଟି ଦାବି ପୂରଣ ହୋଇନଥିବାରୁ ଡାକ୍ତରମାନେ ପୁଣି ବିରୋଧ ଆରମ୍ଭ କରିଛନ୍ତି ।