ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା କୋଲକାତା ପୋଲିସ, ୯ଟି ରାଜ୍ୟରେ ରୁଜୁ ହୋଇଛି ମାମଲା

ନୂଆଦିଲ୍ଲୀ: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ମାମଲାରେ ନୂପୁର ଶର୍ମାଙ୍କ ଅଡ଼ୁଆ ବଢ଼ି ଚାଲିଛି। ପ୍ରଥମେ ଜୀବନରୁ ମାରି ଦେବାକୁ ଧମକ, ତା’ ପରେ ଥାନାରେ ମାମଲା ଓ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ଆଉ ଏବେ କୋଲକାତା ପୋଲିସର ନୋଟିସ୍‌ ପାଇଛନ୍ତି ନୂପୁର। କୋଲକାତା ପୋଲିସ ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ନୂପୁରଙ୍କ ବିରୋଧରେ ଏମ୍‌ହର୍ଷ୍ଟ ଓ ନାରକେଲଡାଙ୍ଗା ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିଲା ଓ ତାଙ୍କୁ ହାଜିର ହେବାକୁ କୁହାଯାଇଥିଲା। କିନ୍ତୁ ଏବେ ଯାଏଁ ସେ ଥାନାରେ ହାଜିର ହୋଇନାହାନ୍ତି। ସେ ହାଜିର ହେବାକୁ ଅଧିକ ସମୟ ମାଗିଛନ୍ତି।

ବିବାଦୀୟ ଟିପ୍ପଣୀ ମାମଲାରେ ନୂପୁର ଶର୍ମାଙ୍କ ବିରୋଧରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଥିବା ନେଇ ସେ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଓଲଟା ଭର୍ତ୍ସନା କରିଥିଲେ। ଏଥିସହ ତାଙ୍କ ପିଟିସନ୍‌ର ଶୁଣାଣି କରିବାକୁ ମନା କରି ଦେଇଥିଲେ। ନୂପୁର ସମସ୍ତ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଅନୁରୋଧ କରିଥିଲେ।

ନୂପୁର ଶର୍ମାଙ୍କ ବିରୋଧରେ ଅନେକ ରାଜ୍ୟରେ ରୁଜୁ ହୋଇଛି ମାମଲା:

ନୂପୁର ଶର୍ମାଙ୍କ ବିରୋଧରେ ୯ ରାଜ୍ୟ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନାରେ ୯ଟି ମାମଲା ରୁଜୁ ହୋଇଛି। କିନ୍ତୁ ଏହାର ସମସ୍ତ ସୂଚନା ପିଟିସନ୍‌କାରୀଙ୍କ ପାଖରେ ନାହିଁ। ଏହି ସମସ୍ତ ମାମଲାକୁ ନେଇ ନୂପୁର ଶର୍ମା ଗୁହାରି କରିଥିଲେ ଯେ ସମସ୍ତ ମାମଲାକୁ ମର୍ଜ କରାଯାଇ ଦିଲ୍ଲୀ ଟ୍ରାନ୍ସଫର କରାଯାଉ। କାରଣ ଭିନ୍ନ ଭିନ୍ନ ରାଜ୍ୟକୁ ଯିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ।

ଏହା ପରେ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ ଭର୍ତ୍ସନା କରି କହିଥିଲେ ଯେ ତାଙ୍କ ବୟାନ ପରେ ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଏଥିସହ ସାଂପ୍ରଦାୟିକ ହିଂସା ପାଇଁ କେବଳ ସେ ଏକୁଟିଆ ଦାୟୀ। ଏଥିସହ କୋର୍ଟ ଏହି ପିଟିସନ୍‌ ଉପରେ କୌଣସି ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଫଳରେ ଏବେ ନୂପୁର ଶର୍ମାଙ୍କ ସମସ୍ୟା ବଢ଼ିଛି।

Also Read: ଯୁବ ବୈଜ୍ଞାନିକଙ୍କ ପାଇଁ ଘୋଷଣା ହେଲା INSA Medal, ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି; ଏବେ ହିଁ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.