କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟଙ୍କର ହେବ ପଲିଗ୍ରାଫି ଟେଷ୍ଟ । ଏଥିପାଇଁ କୋର୍ଟରୁ ସିବିଆଇକୁ ଅନୁମତି ମିଳିଛି । ତଦନ୍ତକାରୀ ସଂସ୍ଥା କୋର୍ଟରେ ଏ ନେଇ ଆବେଦନ ଦାଖଲ କରିଥିଲା । ପୂର୍ବରୁ ଏଜେନ୍ସି ଅଭିଯୁକ୍ତଙ୍କ ମାନସିକ ପରୀକ୍ଷା କରାଇଥିଲା । ବର୍ତ୍ତମାନ ପଲିଗ୍ରାଫି ଟେଷ୍ଟରୁ ଜଣାପଡ଼ିବ ଯେ ଅଭିଯୁକ୍ତ କେତେ ସତ ଏବଂ କେତେ ମିଛ କହୁଛନ୍ତି ।
ସିବିଆଇ ସୂତ୍ରରୁ ପ୍ରକାଶ ଯେ ଆରଜି କର ହସ୍ପିଟାଲର ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ ବୟାନରେ ଅନେକ ଗଡ଼ବଡ଼ ରହୁଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ବୟାନ ଏବଂ ସନ୍ଦୀପ ଘୋଷଙ୍କ ବୟାନରେ କିଛି ତାଳମେଳ ରହୁନାହିଁ । ସିବିଆଇ ସନ୍ଦୀପଙ୍କୁ ପୁଣି ପଚରାଉଚରା କରିବା ପରେ ତାଙ୍କର ଅନେକ ବୟାନ ରେକର୍ଡ କରିଛି ।
ସିବିଆଇ ଟିମ୍ ବୟାନ ରେକର୍ଡ ପାଇଁ ପୀଡ଼ିତାଙ୍କ ଘରକୁ ଯାଇଥିଲା । ପୂରା ପଚରାଉଚରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ପରେ ସନ୍ଦୀପ ଘୋଷଙ୍କ ବୟାନ ଏବଂ ପୀଡ଼ିତାଙ୍କ ପରିବାରର ବୟାନର କ୍ରସ୍ ଟେଷ୍ଟ କରାଯିବ ।
ପଲିଗ୍ରାଫ୍ ଟେଷ୍ଟକୁ ସାଧାରଣତଃ ‘ଲାଏ ଡିଟେକ୍ଟର ଟେଷ୍ଟ’ ମଧ୍ୟ କୁହାଯାଏ । ଏଥିରେ ଅଭିଯୁକ୍ତଙ୍କ ହୃଦସ୍ପନ୍ଦନ, ରକ୍ତଚାପ, ଶ୍ୱାସକ୍ରିୟା ଏବଂ ସ୍କିନ୍ କଣ୍ଡକ୍ଟିଭିଟିକୁ ପରୀକ୍ଷା କରାଯାଇଥାଏ । ଏଥିରୁ ଜଣାପଡ଼େ ଯେ ଅଭିଯୁକ୍ତ କେଉଁ ମାମଲାରେ କେତେ ସତ ଏବଂ କେତେ ମିଛ କହୁଛନ୍ତି ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । ପ୍ରଥମେ ସନ୍ଦେହ କରି ପୋଲିସ ତାଙ୍କୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା ।