କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବର୍ଷିଲେ ସୁପ୍ରିମକୋର୍ଟ; ମହିଳାମାନେ ସୁରକ୍ଷିତ ନାହାନ୍ତି, ସମାନତା କଥା ଆସିଲା କେଉଁଠୁ, ସିବିଆଇକୁ ଷ୍ଟାଟସ ରିପୋର୍ଟ ମାଗିଲେ

କୋଲକତା ଆରଜି କର ମେଡିକାଲ କଲେଜରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ମମତା ବାନାର୍ଜୀଙ୍କ ସରକାରକୁ ପ୍ରଶ୍ନ କରିଛନ୍ତି । ମୁଖ୍ୟ ବିଚାରପତି ରାଜ୍ୟ ସରକାରଙ୍କ ତରଫରୁ କେସ୍‌ ଲଢୁଥିବା ବରିଷ୍ଠ ଓକିଲ କପିଲ ସିବ୍ଦଲଙ୍କୁ ପଚାରିଛନ୍ତି କି, ଆରଜି କଲେଜରେ ଭଙ୍ଗାରୁଜା କରିବା ସମୟରେ ପୋଲିସ କ’ଣ କରୁଥିଲା ।

ତେବେ ସୁପ୍ରିମକୋର୍ଟ ଦ୍ବାରା ଗଠିତ ଟାକ୍ସ ଫୋର୍ସ ଡାକ୍ତର ଓ ନର୍ସଙ୍କ ସୁରକ୍ଷା ପ୍ରସଙ୍ଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ । ଲିଙ୍ଗ ଭିତ୍ତିକ ହିଂସାକୁ ପ୍ରତିହତ କରିବା ଏବଂ ମେଡିକାଲ ପ୍ରଫେସନାଲ କିପରି ସମ୍ମାନର ସହ କାର୍ଯ୍ୟ କରିବେ ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ ।

ଟାକ୍ସ ଫୋର୍ସ ସୁପାରିସ ପରେ ଦେଶର ସମସ୍ତ ହସ୍ପିଟାଲରେ ଲାଗୁ ହେବ ।  ସିବିଆଇକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ କାର୍ଯ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ କରିଛନ୍ତି । ଏଫଆଇଆର ରୁଜୁରେ କାହିଁକି ବିଳମ୍ବ ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସବୋଚ୍ଚ ନ୍ୟାୟାଳୟ ।

ମହିଳା ଡାକ୍ତର ଯଦି କାର୍ଯ୍ୟକୁ ଯାଇ ପାରୁନାହାଁନ୍ତି କିମ୍ବା ସୁରକ୍ଷିତ ନାହାନ୍ତି ତେବେ ସେମାନଙ୍କୁ ଆମେ ସମାନତା ଅଧିକାରରୁ ବଞ୍ଚିତ କରୁଛୁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ । ହେଲଥ କେୟାର ପ୍ରଫେସନଲାଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ କିଛି ସୁପାରିଶ କରିଛନ୍ତି । ହସ୍ପିଟାଲରେ ଜରୁରୀ ସେବା ପାଇଁ ଥିବା କୋଠରୀରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ ।

ହସ୍ପିଟାଲରେ ଅସ୍ତ୍ରଶସ୍ତ୍ର ପ୍ରବେଶକୁ ଅଟକାଇବାକୁ ବ୍ୟାଗେଜ୍ ସ୍କ୍ରିନିଂ, ରୋଗୀ ହୋଇ ନଥିଲେ ଏକ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଜଣଙ୍କୁ ପ୍ରବେଶ ଅନୁମତି ନ ଦେବା, ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା, ଡାକ୍ତରଙ୍କ ପାଇଁ ବିଶ୍ରାମ କକ୍ଷ ଏବଂ ଏକ ଲିଙ୍ଗ ନିରପେକ୍ଷ ସ୍ଥାନ, ବିଶ୍ରାମ କକ୍ଷରେ ପ୍ରବେଶ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କରାଯିବ ।

ସେହିପରି ସବୁ ସ୍ଥାନରେ ଉଚିତ ଆଲୋକ ବ୍ୟବସ୍ଥା ଓ ସିସିଟିଭି, ରାତି ୧୦ରୁ ସକାଳ ୬ ଯାଏ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା, ଦୁଃଖ ଓ ବିପଦ ସମୟକୁ ସମ୍ମୁଖୀନ କରିବା ପାଇଁ ମେଡିକାଲ ପ୍ରଫେସନାଲଙ୍କୁ ସକ୍ଷମ କରାଇବା ପାଇଁ ୱାର୍କସପ୍, ପ୍ରତି ତିନି ମାସରେ ଥରେ ସୁରକ୍ଷା ବ୍ୟବସ୍ଥାର ଅଡିଟ୍ ଓ ମେଡିକାଲ ପ୍ରଫେସନାଲଙ୍କ ପାଇଁ ଜୁରୀର ହେଲପ ଲାଇନ୍ ନମ୍ବର ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ ।

ଘଟଣାକୁ ଭିନ୍ନ ରୂପ ଦେବାକୁ କଲେଜ ଅଧ୍ୟକ୍ଷ ଚେଷ୍ଟା କରିଥିଲେ ବୋଲି CJI କହିଛନ୍ତି । ଏପରିକି ପୀଡିତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଦେଖିବାକୁ ଦିଆଯାଇନଥିବାରୁ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସନା କରିଛନ୍ତି । ସୋସିଆଲ ମିଡିଆରେ ପୀଡିତାଙ୍କ ନା ଏବଂ ଫଟୋ ଦେଖାଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଏହି ମାମଲାରେ ଆଗାମୀ ଶୁଣାଣି ୨୨ ଅଗଷ୍ଟରେ ହେବ । ଗଠନ ହୋଇଥିବା ଟାକ୍ସଫୋର୍ସ ଦୁଇ ମାସ ମଧ୍ୟରେ ସମସ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like