ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧ଘଣ୍ଟା ଅନ୍ଧାର ହେଲା କୋଲକତା ସହର, ରାଜରାସ୍ତାରେ ମହିଳାଙ୍କ କ୍ୟାଣ୍ଡେଲ ରାଲି

କୋଲକତା : ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର । ଗତକାଲି ରାତି ୯ଟାରୁ ୧୦ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ କ୍ୟାଣ୍ଡେଲ ରାଲି କରିଥିଲେ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଦ୍ୱିତୀୟ “ରିକ୍ଲେମ ଦ ନାଇଟ୍” ଜନ ଆନ୍ଦୋଳନରେ ଅଂଶଗ୍ରହଣ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ମହିଳା । କୋଲକାତାର ମୁଖ୍ୟରାସ୍ତାରେ ମାନବ ଶୃଙ୍ଖଳା ସୃଷ୍ଟି କରିବାସହ ହାତରେ ବିଭିନ୍ନ ସ୍ଲୋଗାନ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି ସମାଜର ବିଭିନ୍ନ ବର୍ଗର ମହିଳା ।
“ଆମେ ନ୍ୟାୟ ଚାହୁଁ” ଏବଂ “ମହିଳାଙ୍କ ପ୍ରତି ହିଂସା ବନ୍ଦ କର” ଭଳି ସ୍ଲୋଗାନ ଦେଇ ମହିଳାମାନେ ଶକ୍ତିଶାଳୀ ବାର୍ତ୍ତା ଦେଇ ବ୍ୟାନର ଏବଂ ପ୍ଲାକାର୍ଡ ଧରିଥିଲେ । ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ବିରୋଧ କରିବା ସହ ‘ଆଲୋକ ହେଉ, ନ୍ୟାୟ ହେଉ’ ନାମକ ଏକ ବାର୍ତ୍ତା ଦେଇଥିଲେ । ବିକ୍ଷୋଭକାରୀ ଡାକ୍ତରମାନେ ଦୀପ ପ୍ରଜ୍ୱଳନ ପାଇଁ ଆହ୍ବାନ ଦେଇଥିବା ବେଳେ ରାଜ୍ୟବ୍ୟାପୀ ପଦଯାତ୍ରା ସମୟରେ ପ୍ରଦର୍ଶନକାରୀମାନେ ଟର୍ଚ୍ଚ ଜଳାଥିଲେ ଏବଂ ମହମବତୀ ଧରିଥିଲେ ।
ସେପଟେ କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ବିରୋଧରେ କଡ଼ା ଆଇନ ଆଣିଛନ୍ତି । ଦୁଷ୍କର୍ମ କରିଥିବା ଦୋଷୀକୁ ଦଣ୍ଡ ଦେବାକୁ ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା ବିଲ୍’ ପାରିତ ହୋଇଛି । ‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪’ ଅନ୍ତର୍ଗତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଶୀଘ୍ର ମୃତ୍ୟୁ ଦଣ୍ଡାଦେଶ ଦେବାକୁ ନିୟମ ରହି ଛି। ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି କରି ଦଣ୍ଡ ବିଧାନର ବ୍ୟବସ୍ଥା କରିବାକୁ ପ୍ରାବଧାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍ ଐତିହାସିକ ଏବଂ ଅନ୍ୟ ରାଜ୍ୟ ପାଇଁ ମଡେଲ୍ ହେବ ବୋଲି କହିଛନ୍ତି । ମହିଳାଙ୍କ ଉପରେ ହେଉଥିବା ହିଂସା ବିରୋଧରେ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଛନ୍ତି ।