ସାହା ହେଲେ ଭଗବାନ୍! ରନୱେରେ ଅବତରଣ ବେଳେ କୋରିଆ ଏୟାରଲାଇନ୍ସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର

କେନ୍ୟୁଜ୍: ରନେଓ୍ଵରେ ଅବତରଣ ବେଳେ ଦୁର୍ଘଟଣାର ଶିକାର ହେଲା କୋରିଆ ଏୟାରଲାଇନ୍ସ ବିମାନ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର । ଦୁର୍ଘଟଣା ପରର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରନେଓ୍ଵରୁ କେମିତି ବାହାରକୁ ଚାଲି ଯାଇଛି ଏୟାରବସ୍ A330 ତାହା ଦେଖିବାକୁ ମିଳିଛି । ଫିଲିପାଇନ୍ସ ସେବୁ ଏୟାରପୋର୍ଟରେ ଏହି ଘଟଣା ଘଟିଛି । ଖରାପ ପାଗ ଯୋଗୁ କୋରିଆ ଏୟାରଲାଇନ୍ସର ବିମାନ ସେବୁ ଏୟାରପୋର୍ଟରେ ଦୁଇ ଦୁଇ ଥର ଅବତରଣ ଉଦ୍ୟମ କରିଥିଲା ।
ତୃତୀୟ ଥର ଲାଣ୍ଡିଂ ବେଳେ ରନେଓ୍ଵରୁ ବାହାରକୁ ବାହାରି ଯାଇଥିଲା ବିମାନ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ବିମାନର ସାମନା ପାଖ କ୍ଷତିଗ୍ରସ୍ତ ହୋଇଛି । କୋରିଆ ଏୟାର ଲାଇନ୍ସର ଏୟାରବସ୍ A330 ସିଓଲରୁ ସେବୁ ଆସୁଥିଲା । ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ଓ କୋରିଆ କର୍ତ୍ତୃପକ୍ଷ ।